ପେଡାଲ ମାରିଲେ ଚାଲୁଛି ଚାରି ଚକିଆ ଘାସକଟା ମେସିନ: କମାଲ୍ କଲେ ରାଉରକେଲା ଏସକେଡିଏଭି ପଲିଟେକନିକ୍ ଛାତ୍ରଛାତ୍ରୀ
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିନା ଇନ୍ଧନରେ ଘାସ କାଟିବ ମେସିନ୍। ନା ଥିବ ପେଟ୍ରୋଲ କିଣାର ଟେନସନ୍, ନା ପ୍ରଦୂଷଣର ଝନଝଟ। ସିଟରେ ବସି ପେଡାଲ ମାରିଲେ ଚାଲିବ ମେସିନ। ରାଉରକେଲା ଏସ କେଡିଏଭି ପଲିଟେକ୍ନିକ କଲେଜର ଫାଇନାଲ ଇଅର ମେକାନିକାଲ ବିଭାଗର ୧୦ ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ବିନା ଇନ୍ଧନରେ ଚାଳିତ ଚାରି ଚକିଆ ଘାସ କଟା ମେସିନ। ମେସିନର ସମ୍ମୁଖ ଭାଗରେ ଲାଗିଥିବା କଟର ଘାସ କାଟି ସଫା କରିଦେଉଛି। ବିଶେଷ କିଛି ଖର୍ଚ୍ଚ ହୋଇନଥିବା ବେଳେ ସ୍ୱଦେଶୀ ଜ୍ଞାନ କୌଶଳକୁ ଉପଯୋଗ ଏହି ମେସିନ୍ ତିଆରି କରାଯାଇଛି।
ଲୁହା ପାଇପ, ଭଙ୍ଗା ସାଇକେଲରୁ ପୁରୁଣା ଯନ୍ତ୍ରପାତି ସଂଗ୍ରହ କରି ଏହି ମେସିନ୍ ସିନ ନିର୍ମାଣ କରାଯାଇଛି। ଷ୍ଟିଅରିଂ ମେକାନିଜମକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ୪ଟି ଚକ ବିଶିଷ୍ଟ ଏହି ଗାଡ଼ିରେ ଜଣେ ଆରାମରେ ବସି ଷ୍ଟିଅରିଂ ଧରି ବିନା ଇନ୍ଧନରେ ପେଡେଲ ମାରି ଘାସ କଟା ଯାଇପାରିବ। ଏସକେଡିଏବି ପଲିଟେକ୍ନିକ ଇଂଜିନିୟରିଂ କଲେଜର ଫାଇନାଲ ଛାତ୍ର ଛାତ୍ରୀ ଆଠ ଦିନର ପରିଶ୍ରମ ପରେ ଏହି ମେସିନ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ବିନା ଇନ୍ଧନରେ ଚାଲୁଛି ଏହି ମନୁଷ୍ୟ ଚାଳିତ ଘାସ କଟା ମେସିନ।
ତେବେ ଏହି ମେସିନଟି ପଛକୁ ଗଡି ପାରୁ ନାହିଁ। ଆଉ ଏଥିପାଇଁ ଛାତ୍ରଛାତ୍ରୀମାନେ ସୋଲାର ଲଗାଇ ପଛକୁ ଗଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଂ ଖୁବ ଶୀଘ୍ର ସଫଳତା ମିଳିବ ବୋଲି ଆଶା ବାନ୍ଧିଛନ୍ତି। ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ ବର୍ତ୍ତମାନ କମ ଖର୍ଚ୍ଚରେ ଚାଲୁଥିବା ସ୍ୱଦେଶୀ ଯନ୍ତ୍ରପାତିର ଚାହିଦା ବଢୁଛି। ଆଉ ଏପରି ସମୟରେ ଛାତ୍ରଛାତ୍ରୀ ମାନେ ଏପ୍ରକାର ଏକ କଟର ନିର୍ମାଣ କରି ପ୍ରଶଂସା ସାଉଣ୍ଟିଛନ୍ତି।
ତେବେ ଏହି ମେସିନ ନିର୍ମାଣରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବା ସହ ଗାଇଡ଼ କରିଥିଲେ ସେମାନଙ୍କ ବିଭାଗୀୟ ମୁଖ୍ୟ ଅନ୍ୟ ଶିକ୍ଷକ ମାନେ। ଛାତ୍ରଛାତ୍ରୀଙ୍କ ଏଭଳି ଏକ ମେସିନ ପ୍ରସ୍ତୁତିକୁ ସବୁ ମହଲରୁ ପ୍ରସଂଶା କରାଯାଇଛି। ପଲିଟେକନିକ କଲେଜର ଅନ୍ୟ କିଛି ଛାତ୍ରଛାତ୍ରୀ ଏବେ ଏକ E-Cycle ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତେବେ ଆଉ କେତେକ ଆଧୁନିକରଣ ପରେ ଘାସ କାଟିବା ମେସିନଟି ଆହୁରି ସୁବ୍ୟବହାର ଉପଯୋଗୀ ହୋଇ ପାରିବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।