ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

କଟକ: ମରଣଯନ୍ତା ପାଲଟିଛି କଟକ ଜିଲ୍ଲା ଟାଙ୍ଗୀର ମଙ୍ଗୁଳି ଛକ। ଟ୍ରାଫିକ୍ ବ୍ୟବସ୍ଥା ନଥିବା ସହ ରାସ୍ତା କଡ଼ରେ ଶହଶହ ଟ୍ରକ୍ ଅଟକି ରହୁଛି। ରାସ୍ତାର ଦୁଇପାର୍ଶ୍ୱରେ ମଙ୍ଗୁଳିରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ରହୁଛି ଟ୍ରକ୍। ଫଳରେ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଅସୁବିଧା ହେଉଛି।

ଏହାସହ ଭୁବନେଶ୍ୱର, ସମ୍ବଲପୁର, ଯାଜପୁର ଆଦି ଅଞ୍ଚଳରୁ ଯିବା ଆସିବା କରୁଥିବା ଯାତ୍ରୀମାନେ ବସରୁ ଓହ୍ଲାଇବା ପରେ ଜୀବନରୁ ପାଣି ଛଡ଼ାଇ ରାସ୍ତା ପାର୍ ହେଉଛନ୍ତି। ପୁଣି ରାସ୍ତା ମଝିରେ ଯାଇଥିବା ଡିଭାଇଡରକୁ ବେଆଇନ ଭାବେ କାଟି ବିପଦସଙ୍କୁଳ ଅବସ୍ଥାରେ ବାଇକ ଚାଳକ ରାସ୍ତା ପାର୍ ହେଉଥିବାରୁ ଦୁର୍ଘଟଣା ବି ଘଟୁଛି। ସେଇଭଳି ଛକ ଉପରେ ଟାଙ୍ଗୀ ପୋଲିସ ସହାୟତା କେନ୍ଦ୍ର ଖୋଲିଥିଲେ ମଧ୍ୟ ତାହା କାମରେ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି।

ମଙ୍ଗୁଳି ବଜାର କମିଟି ପକ୍ଷରୁ ବାରମ୍ବାର ପ୍ରଶାସନକୁ ଜଣାଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରୁନି। ତେବେ ଯେ ପର୍ଯ୍ୟନ୍ତ ଟ୍ରକ୍ ଟର୍ମିନାଲ ନହୋଇଛି, ଏହି ସମସ୍ୟା ଲାଗି ରହିବ ବୋଲି କଟକ ଆରଟିଓ ସଞ୍ଜୟ କୁମାର ବେହେରା କହିଛନ୍ତି।

You might also like