ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଗିରଫ

କାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା

କଟକ : ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଛି ପୋଲିସ୍ ।  ଗତକାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ । SCBରେ ଗ୍ୟାଙ୍ଗଷ୍ଟର ହାଇଦରକୁ ବହୁବାର ଭେଟିଥିଲା ଓ ବିରିୟାନି ମଧ୍ୟ ଖୁଆଇଥିଲା ୟାକୁବ । ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ ଚଳାଇଛି ପୋଲିସ୍ ।

ସେପଟେ ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜୁଛି ପୋଲିସ । ସେକ୍ ହାଇଦର ଫେରାର ଘଟଣାକୁ ଆଜି ୪ ଦିନ ପୁରିଥିବାବେଳେ ଏବେବି ତାର ଟେର୍ ପାଇନି ପୋଲିସ । ସ୍ୱତନ୍ତ୍ର ଟିମ କରି ଖାନତଲାସି ଚଳାଇଛି ରାଜ୍ୟ ପୋଲିସ । ହାଇଦର ଏବେ କେଉଁଠି, ରାଜ୍ୟ ଭିତରେ ନା ବାହାରେ ସେ ନେଇ କୌଣସି ବି ସୂଚନା ମିଳିପାରିନି କେମିତି ଓ କାହା ସହ ଗଲା ତାର ତନାଘନା କରୁଛି ପୋଲିସ ।

ତେବେ ଗ୍ୟାଙ୍ଗଷ୍ଟର ହାଇଦର SCBରୁ ଫେରାର ପଛରେ ହୋଇଛି ବିରାଟ ଷଡ଼ଯନ୍ତ୍ର। ଖୋଦ୍ ତା ସଂପର୍କୀୟ ହିଁ ସାଜିଛନ୍ତି ଫେରାର୍ ପଛର ଷଡ଼ଯନ୍ତ୍ରକାରୀ। ପୁଅ, ଭାଇ, ଶଳା ଓ ପୁତୁରାଙ୍କ ଭଳି ଅତି ନିକଟ ସମ୍ପର୍କୀୟ ହିଁ ରଚିଥିଲେ ଫେରାର୍ ପ୍ଲଟ୍। କେମିତି ସଫଳ ହେଲା ସେ ଷଡ଼ଯନ୍ତ୍ର, ମଙ୍ଗଳାବାଗ ଥାନାରେ ଦିଆଯାଇଥିବା ଏଫଆଇଆରରୁ ତାହା ସ୍ପଷ୍ଟ ହୋଇଛି । ସେଦିନ ଏସସିବି ସର୍ଜରୀ ଓ୍ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର ୫ରେ ପହରା ଦେଉଥିବା ଖୋଦ୍ ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ୍ ଥାନାରେ ଏତଲା ଦେଇଛନ୍ତି । ମୌସିମ ଲେଖିଛନ୍ତି, ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୋଲିସ ଏସକର୍ଟରେ କଟକ ଅଣାଯାଇଥିଲା।

ସେପଟେ ଜେଲ୍ ବିଭାଗ ଡିଆଇଜି ଓଟିଭିକୁ ଗତକାଲି ପ୍ରତିକ୍ରିୟା ଦେଇ କହିଛନ୍ତି-ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏଣେ ହାଇଦରର ପତ୍ନୀ ହସିନା ବିବି କହିଛନ୍ତି, ହାଇଦର ଫେରାର୍ ଘଟଣାରେ ତାଙ୍କ ପରିବାର କି ସମ୍ପର୍କୀୟଙ୍କ ହାତ ନାହିଁ ଯାହା ଅଭିଯୋଗ ହେଉଛି ସବୁ ମିଛ।

ଅନ୍ୟପଟେ ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା । କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ  ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ କେନ୍ଦ୍ରାପଡ଼ାରେ ଟଲି ରିକ୍ସା ପରେ ଟ୍ରେକର୍ ଓ ଟ୍ରକ୍ ଚଳାଉଥିବା ହାଇଦର୍ ୧୯୯୭-୯୮ ବେଳକୁ ଦୁର୍ଦ୍ଦାନ୍ତ ଅପରାଧୀ ପାଲଟିସାରିଥିଲା । ଚୋରି, ରାହାଜାନି, ଗୁଣ୍ଡାଗର୍ଦ୍ଦି, ହାଇେଓ୍ୱ ଡକାୟତି, ବ୍ୟାଙ୍କ ଡକାୟତି, ଟେଣ୍ଡର୍ ଫିକ୍ସିଂ ଓ ହତ୍ୟା । ଏମିତି ଏମିତି ବଢ଼ି ବଢ଼ି ଚାଲିଥିଲା ତାର ଦୌରାତ୍ମ୍ୟ ।

 

You might also like