ଧାନବିକ୍ରି ସମସ୍ୟାକୁ ନେଇ ତାତିଲେଣି ଚାଷୀ

ଚାଷୀ ତାତିଲେ,ବିରୋଧୀ କକ୍ଷତ୍ୟାଗ କଲେ

ଭୁବନେଶ୍ୱର: ସରିବାକୁ ବସିଲାଣି ଖରିଫ ଋତୁ। ଅଥଚ ରାଜ୍ୟରେ ଧାନ ସଂଗ୍ରହରେ ଲାଗିରହିଥିବା ଘୋର ଅବ୍ୟବସ୍ଥାର ସମାଧାନ ହୋଇପାରୁନି। ଆଶା କରାଯାଉଥିଲା ଆଜି ଗୃହରେ ଆଲୋଚନା ପରେ ବାଟ ଫିଟିଯିବ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଆଉ କୌଣସି ପ୍ରତିବନ୍ଧକ ବାଟ ଓଗାଳିବନି। କିନ୍ତୁ ଚାଷୀଙ୍କ ଆନ୍ଦୋଳନ ଏବଂ ନାରାବାଜିରେ ଫାଟିପଡୁଛି ମଣ୍ଡିରୁ ମାର୍କେଟୟାର୍ଡ, ରାଜରାସ୍ତାରୁ ସରକାରୀ ଦପ୍ତର। ସବୁଠି ଲାଗିରହିଛି ସେହି ଟୋକନ୍ ଟେନ୍‌ସନ। ତେଣେ ଗୃହରେ ମଣ୍ଡି ଅବ୍ୟବସ୍ଥା ଏବଂ ଧାନ କିଣା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧୀ, ସରକାରଙ୍କୁ ନିଶାନା କରି କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା।

ଭାଙ୍ଗୁଛି ଅନ୍ନଦାତାଙ୍କ ଧୈର୍ଯ୍ୟର ବନ୍ଧ, ଲଙ୍ଘୁଛି ଅବ୍ୟବସ୍ଥାର ଚରମ ସୀମା। ନଭେମ୍ବର ପହିଲାରୁ ଧାନ ସଂଗ୍ରହ ପାଇଁ ଘୋଷଣା କରିଥିବା ରାଜ୍ୟ ସରକାର ଏଯାଏଁ ଚାଷୀଙ୍କଠୁ କ୍ରୟ କରିନାହାଁନ୍ତି ବଳକା ହଜାର ହଜାର କ୍ୱିଣ୍ଟାଲ ଧାନ। ମଣ୍ଡିରୁ ମାର୍କେଟୟାର୍ଡ ସବୁଠି ପଡ଼ିରହିଛି ବସ୍ତା ବସ୍ତା ଅମଳ ଶସ୍ୟ। କେଉଁଠି ଅଦିନିଆ ବର୍ଷା ମାଡ଼ରେ ବତୁରିଯାଇଛି ତ ଆଉ କେଉଁଠି ଖୋଲାମେଲାରେ ପଡ଼ି ଗାଇଗୋରୁ ମୁହଁରେ ଯାଉଛି ଧାନ। ପଦ୍ମପୁର ଉପ-ଜିଲ୍ଲାପାଳ ଏବଂ ତହସିଲ ଅଫିସ ସାମ୍ନାର ଚିତ୍ର ଯିଏ ଦେଖିବ ସେ କହିବ ଏଇଠି ବୋଧହୁଏ ମଣ୍ଡି ରହିଛି।

ଆଜିକୁ ୧୨ ଦିନ ବିତିଗଲାଣି ଟୋକନ ଅବଧି ନଥିବାରୁ ବଳକା ଧାନ ବିକିନପାରି ଏଠାରେ ୬ ହଜାରରୁ ଅଧିକ ଚାଷୀ ଧାନ ପକାଇ ରଖିଛନ୍ତି। କେବଳ ଧାନ ପକାଇନାହାଁନ୍ତି, ପଦ୍ମପୁରର ସବୁ ସରକାରୀ ଅଫିସରେ ବି ତାଲା ପକାଇ ଦେଇଛନ୍ତି। କେବଳ ପଦ୍ମପୁର ନୁହେଁ, ରାଜ୍ୟବ୍ୟାପି ଲାଗିରହିଛି ଏଭଳି ଧାନ ବିକ୍ରି ସମସ୍ୟା। ସବୁ ମଣ୍ଡି, ପ୍ୟାକ୍ସ ଏବଂ ମାର୍କେଟୟାର୍ଡ ଗୁଡ଼ିକରେ ଟୋକନ୍ ଟେନ୍ସନ୍, କଟନୀ ଛଟନୀ ଦେଖିବାକୁ ମିଳୁଛି।

ଚାଷୀ କହିଛନ୍ତି ଯେ, ଯଦି ଆମ ଟାର୍ଟେଟ୍‌ ଫୁଲ ଫିଲ ନହେଲା ତେବେ ରାଜରାସ୍ତାରେ ଆମେ ନିଆଁ ଜାଳିବୁ। କଲେକ୍ଟର ଅଫିସରେ ନିଆଁ ଲଗାଇଦେଇ ବସିବୁ ବୋଲି ଚାଷୀ କହିଛନ୍ତି।

ସେପଟେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ମଣ୍ଡିରେ ପଡ଼ିଛି ଚାଷୀର ଧାନ। ଏଥିଲାଗି କେବଳ ୨ ସରକାର ଦାୟୀ। ମନ୍ତ୍ରୀ ଯେପରି ଭାବରେ ଉତ୍ତର ରଖିଲେ ସେଥିରେ ଆମେ ଖୁସି ନୁହେଁ। ମଣ୍ଡିରେ ଥିବା ଧାନ କିଣିବେ ନା ନାହିଁ ତାହାର ଉତ୍ତର ଗୃହରେ ମନ୍ତ୍ରୀ ରଖିପାରିନଥିବା ତାରା କହିଛନ୍ତି।

ଏପଟେ ପ୍ରତିକ୍ରିୟା ରଖି ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଯେଉଁ ସମୟରେ ଧାନ ରେଡ୍ଡି ହୋଇନଥିଲା ସେତେବେଳେ ଟୋକନ ପାଇଗଲେ। ଏବଂ ଧାନ ଯେଉଁ ସମୟରେ ମାର୍କେଟ ୟାର୍ଡକୁ ଅଣାଯାଉଛି ସେତେବେଳେ ଆପଣଙ୍କ ଟୋକନ ଲାପସ୍‌ ହୋଇଗଲା। ଚାଷୀର କୌଣସି ଦୋଷ ନାହିଁ ଏଠି ବ୍ୟାପକ ଦୁର୍ନୀତି ହୋଇଛି।

ଆଉ ବିରୋଧୀଙ୍କୁ ଜବାବ ଦେଇ  ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଆମର ଧାନକିଣା ଚାଲିଛି। ଯେଉଁମାନେ ରେଜିଷ୍ଟ୍ରର ଚାଷୀ,ପ୍ରକୃତ ଚାଷୀ ଆଉ ଯେଉଁମାନଙ୍କ ପାଖରେ ବୈଧ ଟୋକନ ଅଛି ସେମାନଙ୍କ ଜରିଆରେ ମଣ୍ଡିକୁ ଆସୁଥିବା ଧାନ କିଣିବା ଲାଗି ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।

ଟାର୍ଗେଟ ସରିଯାଇଥିବା ଦର୍ଶାଇ ଧାନ କିଣାଯାଉନଥିବାରୁ ଚରମସୀମାରେ ପହଞ୍ଚିଲାଣି ଚାଷୀଙ୍କ ଆକ୍ରୋଶ। ନଭେମ୍ବର ପହିଲାରୁ ରାଜ୍ୟରେ ଧାନ କିଣିବା ପାଇଁ ଭରସା ଦେଇଥିଲେ ରାଜ୍ୟ ସରକାର। ହେଲେ ୩ ମାସ ପରେ ବି ସମ୍ପୂର୍ଣ୍ଣ ଉଠିପାରିନି ଚାଷୀର ବର୍ଷକର ଅମଳ। ପରିଣାମ ସ୍ୱରୂପ ଆଜି ପଦ୍ମପୁର ସମେତ ନୂଆପଡ଼ା, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାରେ ତୀବ୍ର ହୋଇଛି ଚାଷୀ ଅସନ୍ତୋଷ ।କେଉଁଠି ରାଜରାସ୍ତାରେ ତ ଆଉ କେଉଁଠି ସରକାରୀ ଦପ୍ତର ଆଗରେ ବିକ୍ଷୋଭ କରିଛନ୍ତି ଚାଷୀ ଏବଂ ବିଭିନ୍ନ ସଂଗଠନ।

ଏପଟେ ଧାନ କିଣାକୁ ନେଇ ଗୃହରେ ଥମୁନି ଝଡ଼। ପୂର୍ବ ନିଷ୍ପତ୍ତି ମୂତାବକ ଆଜି ଗୃହରେ ଜାରି ରହିଥିଲା ସରଗରମ ଆଲୋଚନା। ଏସବୁ ଭିତରେ ମଣ୍ଡି ଅବ୍ୟବସ୍ଥା କଥା ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ବିରୋଧୀ। ଟୋକନ ବ୍ୟବସ୍ଥାର ଉଚ୍ଛେଦ ନଚେତ୍, ରାଜ୍ୟସ୍ତରରେ ନଦେଇ ସୋସାଇଟି ସ୍ତରରେ ଟୋକନ୍ ଦିଆଯାଉ ବୋଲି ଦାବି କରିଥିଲା ବିଜେପି। ସେପଟେ ରାଜ୍ୟରେ ନକଲି ଚାଷୀ ପଞ୍ଜିକରଣ କରି ଧାନ ବିକ୍ରି କରୁଛନ୍ତି ବୋଲି କହିଥିଲା କଂଗ୍ରେସ।

FCI ଚାଷୀଙ୍କଠୁ ଧାନକିଣା ଦାୟିତ୍ୱ ଠିକରେ ସମ୍ପାଦନ କରୁନି ବୋଲି କହି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଥିଲା ଦଳ। ଗୃହରେ ଉତ୍ତର ରଖି ମନ୍ତ୍ରୀ କହିଥିଲେ ବେପାରୀଙ୍କଠୁ ଆଣି ଧାନ ବିକିବାକୁ ଚାହୁଁଥିବା ବ୍ୟକ୍ତିଙ୍କଠୁ ଧାନ କିଣା ହେବନି। ଯେଉଁ ଚାଷୀ ଟୋକନ ପାଇ ମାସେ ଭିତରେ ଧାନ ନ ବିିକିବେ, ତାଙ୍କୁ ଡମି ଚାଷୀ ଭାବେ ଗଣାହେବ ବୋଲି ମନ୍ତ୍ରୀ କହିଥିଲେ। ଆଉ ମନ୍ତ୍ରୀଙ୍କ ଏଭଳି ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷତ୍ୟାଗ କରିଥିଲେ।

You might also like