ସରୁନି ମଣ୍ଡି ସମସ୍ୟା, ଧାନ ବିକି ନପାରି ହନ୍ତସନ୍ତ ଚାଷୀ

ଭୁବନେଶ୍ୱର: ମଣ୍ଡି ବନ୍ଦ, ମିଲର୍ସଙ୍କ ମନମାନି ଓ କଟ୍‌ନିଛଟ୍‌ନି ସମସ୍ୟାରେ ଚାଷୀ ଯେମିତି ଧନ୍ଦି ହେଉଛନ୍ତି, ପ୍ରତିଦିନ ତା’ର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି। ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ଚାଷୀମାନେ କେଉଁଠି ଆନ୍ଦୋଳନ ତ କେଉଁଠି ରାସ୍ତାରୋକ କରୁଛନ୍ତି।  କାରଣ ବର୍ଷଯାକର ପରିଶ୍ରମ ତୁଳନାରେ ଶୀତର ପ୍ରକୋପ କିଛି ବି ନୁହେଁ।

କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ କୋକଳବା ଛକର ମଣ୍ଡିକୁ ମିଲର୍ସ ନଆସିବାରୁ ଅସନ୍ତୋଷ ପ୍ରକାଶ କରି ଛାଷୀ ରାସ୍ତା ରୋକ୍‌ କରିଥିବା ବେଳେ ସୋନପୁରରେ ମଣ୍ଡିରେ ତାଲା ପଡ଼ିଛି। ତେବେ ଶହ ଶହ ବସ୍ତା ଧାନରେ ମଣ୍ଡି ଭର୍ତ୍ତି ହୋଇଗଲାଣି। ପ୍ରତିଦିନ ଧାନ ଆସିବା କିନ୍ତୁ ବନ୍ଦ ହେଉନି। ଅଥଚ ମିଲର୍ସଙ୍କର ଦେଖା ନାହିଁ।

ହାଡ଼ଭଙ୍ଗା ଏଇ ଶୀତ ରାତିରେ ଧାନ ଜଗି ଚୀଷୀ ନାହିଁ ନଥିବା ଦହଗଞ୍ଜ ହେଉଛନ୍ତି।

ସେହିଭଳି କଟ୍‌ନିଛଟ୍‌ନି ବିବାଦରେ ନୂଆପଡ଼ା ତରବୋଡ଼ ମଣ୍ଡିରେ ତ ୪ଦିନ ହେଲାଣି ଅଚଳାବସ୍ଥା ଲାଗିରହିଛି। ପାଖାପାଖି ୬ ହଜାର ବସ୍ତା ଧାନ ବିକ୍ରି ନହୋଇ ପଡ଼ିରହିଛି।

ଧାନ ମଣ୍ଡିରେ ଘୋର ଅବ୍ୟବସ୍ଥା ସାଙ୍ଗକୁ ଦୁର୍ଦ୍ଦଶା ସହ ତାଳ ଦେଇ ବଢ଼ି ଚାଲିଛି ଚାଷୀଙ୍କ ରୋଷ। ହେଲେ ଏଭଳି ସ୍ଥିତିରେ କିନ୍ତୁ ଯୋଗାଣ ମନ୍ତ୍ରୀଙ୍କ ନୂଆ ତଥ୍ୟ ଚାଷୀଙ୍କ ମନରେ ଛନକା ସୃଷ୍ଟି କରିଛି।

ମନ୍ତ୍ରୀ କହୁଛନ୍ତି, ଗତବର୍ଷ ତୁଳନାରେ ଏବର୍ଷ ଅଧିକ ମଣ୍ଡି ଖୋଲିଛି, ଆଉ ବର୍ତ୍ତମାନର ଧାନ କିଣା ଟାର୍ଗେଟ୍ ବି ପୂରଣ ହୋଇ ସାରିଲାଣି। ଯେଉଁଠି ଧାନ କିଣା ହେଉଛି, ସେଠି କୁଇଣ୍ଟାଲ ପିଛା ୧୭୫୦ ଟଙ୍କାରେ ହିଁ କିଣାଯାଉଛି। ଏଫଏକ୍ୟୁ ମାନକୁ ନେଇ ଯେଉଁ କିଛି ମଣ୍ଡିରେ ସମସ୍ୟା ରହିଛି। ସେଠି ଖୁବଶୀଘ୍ର ସମସ୍ୟା ଦୂର କରାଯିବାକୁ ଉଦ୍ୟମ ଚାଲିଛି ବୋଲି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ହେଲେ ମନ୍ତ୍ରୀଙ୍କ ଏକଥାକୁ କିନ୍ତୁ ମାନିବାକୁ ନାରାଜ ବିଜେପି।

You might also like