ଧାନ କିଣାରେ ଅନିୟମିତତା: କାଣ୍ଟଛାଣ୍ଟରେ ଚାଲିଛି ଶୋଷଣ

ନୂଆପଡ଼ା: ଧାନ କିଣା ନେଇ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅନିୟମତତା ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଖୋଲାଯାଇଥିବା ୬୧ଟି ମଣ୍ଡି ମଧ୍ୟରୁ ଅଧିକାଂଶ ସ୍ଥାନରେ ଧାନର ଏଫଏକ୍ୟୁକୁ ନେଇ ଦେଖାଦେଇଛି ବିବାଦ। ମିଲର୍‌ ଚାଷୀଙ୍କଠାରୁ ଧାନ କିଣୁନଥିବା ବେଳେ ଯେଉଁ ସ୍ଥାନରେ ଧାନ କିଣା ଯାଉଛି ସେଠି କାଣ୍ଟଛାଣ୍ଟ ହେଉଥିବା ଅଭିଯୋଗ ହୋଇଛି।

ନୂଆପଡ଼ା ତୋରବଡ଼ ଧାନମଣ୍ଡିରେ ପଡ଼ରହିଛି ଶହ ଶହ ବସ୍ତା ଧାନ। ତିନି ଦିନ ଧରି ଧାନ ବିକିବା ଲାଗି ଅପେକ୍ଷାରେ ରହିଛନ୍ତି ଚାଷୀ। ଧାନର ଏଫଏକ୍ୟୁକୁ ନେଇ ମିଲରମାନେ କିଣିବାକୁ ମନା କରିବାରୁ ମଣ୍ଡିରେ ଧାନ ପଡ଼ରହିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, କ୍ୱିଣ୍ଟାଲ ପିଛା ଧାନ ୩ରୁ ୪ କିଲୋଗ୍ରାମ କାଣ୍ଟ ଛାଣ୍ଟ୍ କରିବାକୁ ଚାଷୀ ମନା କରିବାରୁ ମିଲର ଧାନ କିଣୁନଥିବା ଅଭିଯୋଗ ହୋଇଛି।

ତୋରବଡ଼ ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାରେ ସମସ୍ୟା ଦେଖାଦେବାରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଚାଷୀଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ କରିବା ଲାଗି ଜିଲ୍ଲା ଯୋଗାଣ ଅଧିକାରୀଙ୍କଠାରେ ଦାବି ରଖିଥିଲେ ବସନ୍ତ।

ସେପଟେ ଧାନ କିଣାରେ ଶିଥିଳତା ଥିବା ଜିଲ୍ଲା ଯୋଗାଣ ଅଧିକାରୀ ସ୍ୱୀକାର କରିବା ସହ ଧାନ କିଣାରେ କଟନି ଛଟନି ହେଉଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଧାନର ଏଫ୍ଏକ୍ୟୁ ନେଇ କିଣିବା ଲାଗି ମିଲର ଆଗ୍ରହ ପ୍ରକାଶ କରୁନଥିବା ବେଳେ ଏହାର ସ୍ଥାୟୀ ସମାଧାନ କେବେ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

You might also like