ମାଙ୍କଡ଼ ନେଇଯାଇଥିବା ଟଙ୍କା ଆଣିବା ପାଇଁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ ଅଜଣା ଯୁବକ

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ମାଙ୍କଡ଼ ନେଇଯାଇଥିଲା ଟଙ୍କା। ସେହି ଟଙ୍କା ଆଣିବା ପାଇଁ ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ। ଶନିବାର ସକାଳେ ଏଭଳି ଘଟଣା ଶ୍ରୀକ୍ଷେତ୍ରରେ ଘଟିଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଥିବା ଶ୍ରୀମନ୍ଦିରରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ବିମଳାଙ୍କ ମନ୍ଦିର ନିକଟରେ ଏଏସ୍‌ଆଇ ପକ୍ଷରୁ ଲାଗିଥିବା ସିଡିବାଟ ଦେଇ ଯୁବକ ଜଣଙ୍କ ଶ୍ରୀମନ୍ଦିର ଚୂଡାକୁ ଚଢି ଯାଇଥିଲେ। ସେଠାରେ ନୀଳଚକ୍ର ବାନାକୁ ଛିଣ୍ଡାଇ ଆଣିବା ସହ ଏକ ଗାମୁଛା ନୀଳଚକ୍ରରେ ବାନ୍ଧି ଦେଇଥିଲେ। ପରେ ଯୁବକ ଜଣଙ୍କ ତଳକୁ ଓହ୍ଲାଇବା ପରେ ସିଂହଦ୍ୱାର ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନା ହାତିଆ ମହନ୍ତ। ଘର ଭଦ୍ରକ ଟାଉନରେ।

ଧରା ପଡିଥିବା ଯୁବକ କହିଛନ୍ତି- “ଗତକାଲି ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ମାଙ୍କଡ଼ ନେଇଯାଇଥିଲା। ପୁଲିସକୁ ଏ ସମ୍ପର୍କରେ ଜଣାଇଥିଲି। ତେବେ ପୁଲିସ ନଶୁଣିବାରୁ ଟଙ୍କା ଖୋଜିବା ପାଇଁ ମନ୍ଦିର ଚୂଡ଼ାକୁ ଚଢ଼ିଥିଲି।”

ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ସିଡ଼ି ପଡ଼ିରହୁଥିବାରୁ ଏଭଳି ଘଟଣା ଘଟୁଥିବା ସେବାୟତ ଅଭିଯୋଗ କରିଛନ୍ତି। ଏହାସହ ଶ୍ରୀମନ୍ଦିରର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

You might also like