ଝିଆରୀର ତଣ୍ଟି କାଟିଦେଲେ ଦାଦା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବଣପଲ୍ଲୀ ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ର କରି ଦାଦା ଝିଆରୀର ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଝିଆରୀଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ବେକ ଓ ଶରୀର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଛି। ପୋଲିସ୍ ମାମଲାରେ ତଦନ୍ତ କରି ଅଭିଯୁକ୍ତ ଦାଦା ଧନୁଦ୍ଧର ନାୟକଙ୍କୁ ଅଟକ ରଖି ପଚରାଉଚରା କରିଛି।

ଅଭିଯୋଗ ଅନୁସାରେ, ବଣପଲ୍ଲୀ ଗାଁର ଧନୁଦ୍ଧର ନାୟକ ଓ ତାଙ୍କ ଭାଇଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ଆଜି ଉଭୟ ଗଣ୍ଡଗୋଳ କରିବା ବେଳେ ସେଠାରେ ଝିଆରୀ ପହଞ୍ଚି ଯାଇଥିଲେ। ଏହି ସମୟରେ ଧନୁଦ୍ଧର ତାଙ୍କୁ ଆକ୍ରମଣ କରିଥିଲେ। ଝିଆରୀର ତଣ୍ଟି ଓ ପେଟକୁ ଛୁରାରେ ଆକ୍ରମଣରେ କରିଥିଲେ ଧନୁଦ୍ଧର। ଗୁରୁତର ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ଝିଆରୀକୁ ପରିବାର ଲୋକେ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ବୁଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like