ବାପା ନୁହେଁ ପିଶାଚ; ସୁରକ୍ଷା ଦେବା ବଦଳରେ ଝିଅକୁ ଜାଳି ଦେଲେ

ବଲାଙ୍ଗିର: ସବୁବେଳେ ସବୁ ବିପଦରେ ନିଜ ସନ୍ତାନର ରକ୍ଷାକବଚ ଭଳି ଛିଡ଼ା ହେଉଥିବା ବାପା ଦିନେ ପିଶାଚ ହୋଇଯିବେ, ତାହା କେହି କେବେ ଭାବି ନଥିବେ। ହେଲେ ଜଣେ ବ୍ୟକ୍ତି ନିଜ ଝିଅକୁ ଜାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରୁ ଏଭଳି ଅଭିଯୋଗ ଆସିଛି। ନିଆଁରେ ପୋଡ଼ି ହୋଇ ନାବାଳିକା ଜଣକ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ଘର ଭିତରୁ ସମ୍ପୃକ୍ତ ନବାଳିକାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ବାପା ଅରକ୍ଷିତ ନାଗ ହିଁ କିରାସିନି ଢାଳି ଝିଅକୁ ପୋଡ଼ି ଦେଇଥିବା ତାଙ୍କ ମାମୁ ଥାନାରେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ମାମୁ କରିଥିବା ଅଭିଯୋଗ ଅନୁଯାୟୀ, ଅରକ୍ଷିତ ଦୁଇ ଥର ବିବାହ କରିଥିଲେ। ଉକ୍ତ ନାବାଳିକା ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ। ସେ ଛୋଟ ବେଳୁ ମାମୁ ଘରେ ରହୁଥିଲେ। ଗତ କିଛି ମାସ ହେଲା ଗାଁରେ ବୈଠକ ପରେ ନିଜ ଘରକୁ ଫେରିଥିଲେ। କିନ୍ତୁ ଅରକ୍ଷିତ ଝିଅକୁ ଘରେ ରଖିବାକୁ ଚାହୁଁନଥିଲେ। ତେଣୁ ସେ ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁ ଘର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like