ଗୋଟିଏ ଚିଠି ପଢି ଅଚେତ ହୋଇପଡ଼ିଲେ, ଆଉ ତା ପରେ ଚାଲିଗଲା ଜୀବନ !

ଭୁବନେଶ୍ୱର: ସୁନ୍ଦରଗଡର ଉଜ୍ଜଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଅନ ଥିଲେ ଗଙ୍ଗାଧର କଉଡି।  ଗତ ରବିବାର ଗଙ୍ଗାଧରଙ୍କ ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଗଙ୍ଗାଧରଙ୍କ ଚିକିତ୍ସା ଚାଲିଥିଲା। ଧିରେ ଧିରେ ସେ ସୁସ୍ଥ ମଧ୍ୟ ହେଉଥିଲେ। ଠିକ୍ ଏତିକି ବେଳେ ଡିଇଓ ଅଫିସରୁ ଚିଠି ପହଁଚିଥିଲା। ୫୦ ବର୍ଷ ପାର କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖବର ଶୁଣି ଗଙ୍ଗାଧର ଅଚେତ ହୋଇପଡିଥିଲେ। ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗଙ୍ଗାଧରଙ୍କ ଆଉ ୪ ବର୍ଷ ୮ ମାସ ଚାକିରି ଥିଲା। ଅସୁସ୍ଥତା କାରଣରୁ ସେ ୧୫ ଦିନ ଛୁଟି ନେଇଥିଲେ। ତେବେ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଆଉ ୩ ମାସ ଛୁଟି ବଢାଇବାକୁ ଆବେଦନ କରିଥିଲେ। ହେଲେ ଛୁଟି ବଢିବ କଣ, ବରଂ ତାଙ୍କ ପାଖରେ ବାଧ୍ୟତାମୂଳକ ଅବସରର ଚିଠି ସିଧା ପହଁଚି ଯାଇଥିଲା।

ସେ ଖଟ ଉପରେ ବସିଥିଲେ, ଗୋଟିଏ ଚିଠି ଆସିଲେ। ସେ ଚିଠିକୁ ପଢିସାରିବା ପରେ ହଠାତ୍ ଗୁରୁତର ହୋଇପଡ଼ିଲେ।  ଅଚେତ ହୋଇଯିବା ଯୋଗୁଁ ଡ଼ାକ୍ତରଖାନା ନେଇଥିଲୁ। ସେଛାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।
-ଦୀପକ କଉଡି, ଗଙ୍ଗାଧରଙ୍କ ପୁଅ

ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କ ସଂପର୍କିତ ଖବର ଗତକାଲି ଆମେ ଓଟିଭିରେ ପ୍ରସାରଣ କରିଥିଲୁ। ବ୍ରେନ ଟ୍ୟୁମରରେ ପୀଡିତ ହୋଇ ୩ ବର୍ଷ ତଳେ ଦୃଷ୍ଟିଶକ୍ତି ହରାଇଥିଲେ ତପେଶ୍ୱରୀ। ତେବେ ୫୦ ବର୍ଷ ହୋଇଯାଇଥିବା ଦର୍ଶାଇ ସରକାର ତାଙ୍କୁ ମଧ୍ୟ ବଧ୍ୟତାମୂଳକ ଅବସର ଦେଇଛନ୍ତି। ତେବେ ଖବର ପ୍ରସାରଣ ପରେ ଟିମ୍ ପଠାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ସୁନ୍ଦରଗଡ ଡିଇଓ ଯେଉଁ ରିପୋର୍ଟ ଦେଇଛନ୍ତି, ସେଇ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ଗଣାମାଧ୍ୟମରେ ଖବର ପାଇବା ପରେ ଉଚ୍ଚସ୍ତରୀୟ ଟିମ୍‌ ସେଠାକୁ ଯାଇ ଅନୁଧ୍ୟାନ କରିବେ ବୋଲି ମୁଁ ନିର୍ଦ୍ଦେଶ ଦେଇଛି। ଅନୁଧ୍ୟାନ ପରେ ଯାହା ରିପୋର୍ଟ ଆସିବ, ସେଇ ଅନୁସାରେ ଆମର ନିଷ୍ପତ୍ତି ନିଆଯିବ। 
-ସମୀର ରଞ୍ଜନ ଦାଶ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ନଜର ପକାନ୍ତୁ କଣ କହୁଛି ଭିନ୍ନକ୍ଷମ ଅଧିକାର ଆଇନ୍ ୨୦୧୬

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଚାକିରୀ କାଳରେ କୌଣସି କାରଣରୁ ଜଣେ କର୍ମଚାରୀ ଅକର୍ମଣ୍ୟ ହୋଇଗଲେ ତାଙ୍କୁ ଚାକିରିରୁ ବାହାର କରାଯାଇପାରିବ ନାହିଁ। ତାଙ୍କ ବିଭାଗ ବଦଳା ଯିବ ନଚେତ୍ ଅନ୍ୟ ସ୍ଥାନରେ ନିଯୁକ୍ତି ଦିଆଯିବ। ସେ ଯେଭଳି ସୁବିଧାରେ କାମ କରିପାରିବେ ସେନେଇ ସରକାର ସବୁ ବ୍ୟବସ୍ଥା କରିବେ। ସେହିପରି ଭିନ୍ନକ୍ଷମତା ଆଧାରରେ ସରକାର କୌଣସି କର୍ମଚାରୀଙ୍କ ରାଙ୍କ ହ୍ରାସ କରିପାରିବେ ନାହିଁ କି ପ୍ରମୋସନ ବି ରୋକି ପାରିବେ ନାହିଁ। ଏହାସତ୍ତ୍ୱେ ସରକାର ଗଙ୍ଗାଧର ଓ ତପେଶ୍ୱରୀଙ୍କୁ କିଭଳି ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରିପୋର୍ଟ: ବିଜୟ ବରୁଆ, ଜଗଦୀଶ ଦାସ
You might also like