ରାଜଧାନୀର ରାଜରାସ୍ତାରୁ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରୁ ଯୁବକଙ୍କୁ କାରରେ ଉଠାଇ ନେଲେ ଦୁର୍ବତ୍ତ । ଲୋକଙ୍କୁ ଭୟଭୀତ କରି ପୁରା ଫିଲ୍ମ ଷ୍ଟାଇଲରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି ସମସ୍ତେ । ଆଜି ଅପରାହ୍ଣରେ ଭୁବନେଶ୍ୱର ଡେଲଟା ଛକରୁ ଏକ କାରରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ନେଇଛନ୍ତି । ଡେଲଟା ଛକ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ଏହି ଘଟଣା ଘଟିଛି । ଅପହୃତ ଯୁବକଙ୍କ ପରିଚୟ ମିଳିପାରିନି ।

ସୂଚନା ଅନୁସାରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଡେଲଟା ଛକରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ ଅଟକାଇ ଥିଲେ । ୫ ଜଣ ଦୁର୍ବୃତ୍ତ ବାଇକକୁ ଅଟକାଇ ଜଣଙ୍କୁ ଜୋର ଜବରଦସ୍ତ କାରରେ ଭର୍ତ୍ତି କରିଥିଲେ । ଅପହୃତ ଯୁବକ ଜଣକ ଜୋରରେ ପାଟି କରୁଥିଲେ ବି ସ୍ଥାନୀୟ ଅଞ୍ଚଳରେ ଥିବା ଲୋକେ ପାଟି ଖୋଲି ନଥିଲେ । କିଛି ସମୟର ଧସ୍ତାଧସ୍ତି ପରେ ଯୁବକଙ୍କୁ କାର ଭିତରେ ପୁରାଇ ଦୁର୍ବତ୍ତମାନେ ଚମ୍ପଟ୍ ମାରିଥିଲେ । ଅପହୃତ ଯୁବକ କିଏ ଏବଂ ତାଙ୍କୁ ଦୁର୍ବୃତ୍ତମାନେ କାହିଁକି ଅପହରଣ କଲେ ? ତାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ଅଭିଯୋଗ ପରେ ଅପହରଣ ଘଟଣାର ତଦନ୍ତ ଦାୟିତ୍ୱ ନେଇଛି ଖଣ୍ଡଗିରି ପୋଲିସ୍ ଓ ସ୍ପେଶାଲ ସ୍କ୍ୱଡ୍ । ଖଣ୍ଡଗିରି ପୋଲିସ୍ ଓ ସ୍ପେଶାଲ ସ୍କ୍ୱଡ୍ ଅପହୃତଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣାପଡ଼ିଛି ।

You might also like