ଦେବବ୍ରତ ମୃତ ନା ଜୀବିତ ! ମିଳୁନି ପତ୍ତା, ପତ୍ନୀ କହିଲେ…
କଟକ କାଠଯୋଡ଼ି ବ୍ରିଜ୍ ଉପରୁ ଯୁବକ ଡେଇଁବା ଘଟଣା
କଟକ: କଟକ କାଠଯୋଡ଼ି ବ୍ରିଜ୍ ଉପରୁ ପତ୍ନୀଙ୍କ ସାଙ୍ଗରେ କଳହ ପରେ ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ଏଯାଏ କୌଣସି ପତ୍ତା ମିଳିପାରିନାହିଁ। ରବିବାର ସକାଳେ ମଧ୍ୟ ଅଗ୍ନିଶମ ବିଭାଗର ଏକ ଟିମ୍ ବୟାଳିଶି ମୌଜାର ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳି ନ ଥିଲା। ଫଳରେ ସେ ଜୀବିତ ଅଛନ୍ତି ନା ତାଙ୍କର ମୃତ୍ୟୁ ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି।
ସୂଚନାଥାଉ କି, ଗତ ୯ ତାରିଖରେ ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ନାମକ ଜଣେ ଯୁବକ ବାଇକ୍ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ତାଙ୍କର ପତ୍ନୀ ଓ ପୁଅ ଥିଲେ। ତେବେ ହଠାତ୍ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ଥିଲେ। ପରେ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ। ଚାହୁଁ ଚାହୁଁ କାଠଯୋଡିର ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏପଟେ ନିଜ ଆଖି ସାମ୍ନାରେ ଏହି ଘଟଣା ଦେଖି ହତବାକ୍ ହୋଇ ପଡ଼ିଥିଲେ ପତ୍ନୀ। ଏମିତିକି ସେ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ।
ଦୀର୍ଘ ୫ ଦିନ ହେବ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଦେବବ୍ରତଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।
ଏପଟେ ଦେବବ୍ରତଙ୍କ କୌଣସି ପତ୍ତା ନ ମିଳିବା ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ୫ ଭଉଣୀରେ ଦେବବ୍ରତ ଏକମାତ୍ର ଭାଇ ଥିବାରୁ ଭଉଣୀମାନେ ମଧ୍ୟ ଭାଇକୁ ଝୁରି ହେଉଛନ୍ତି।
ଅନ୍ୟପକ୍ଷରେ ଦେବବ୍ରତଙ୍କ ପତ୍ନୀ କହିଛନ୍ତି, ‘ଆମ ଭିତରେ ଉତ୍ତମ ବୁଝାମଣା ଥିଲା। ଆମେ ପରସ୍ପରକୁ ବହୁତ ଭଲ ପାଉ। ମୁଁ ଛୁଆଟିକୁ ଧରିଥିଲି, ହେଲେ ସେ କେମିତି ଡେଇଁ ପଡ଼ିଲେ, କ’ଣ ହେଲା ମୁଁ ଜାଣିନାହିଁ।’
ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନିତ କରି ତାଙ୍କ ସ୍ୱାମୀଙ୍କୁ ଖୋଜାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି।