ଲୋକେ ନଷ୍ଟ କରୁଛନ୍ତି, ଭାଲୁ ଜଗୁଛି ଜଙ୍ଗଲ !

କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଜଙ୍ଗଲ ସୁରକ୍ଷା ନେଇ ସଚେତନ କରୁଛନ୍ତି ଭାଲୁ ବେଶଧାରୀ ବିଜୟ ପ୍ରଧାନ

ଜଗନ୍ନାଥପ୍ରସାଦ( ରାଜେଶ କୁମାର ପଣ୍ଡା) : ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଇଛି ଭାଲୁ । ହେଲେ ଏ ସତସତିକା ଭାଲୁ ନୁହେଁ  ଜଙ୍ଗଲୀ ଭାଲୁ ସଦୃଶ ଦେଖାଯାଉଥିବା ଜଣେ ବ୍ୟକ୍ତି । କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଜଙ୍ଗଲ ସୁରକ୍ଷା ନେଇ ସଚେତନ କରୁଛନ୍ତି । ଜଙ୍ଗଲ ନିଆରୁ ସବୁଜିମାର ସୁରକ୍ଷା ସହ ପରିବେଶ ପ୍ରଦୂଷଣ ରୋକିବାକୁ ନିଜକୁ ଭାଲୁ ବେଶରେ ସଜାଇ ଜଙ୍ଗଲ ସୁରକ୍ଷା ଲାଗି ନିବେଦନ କରୁଛନ୍ତି ।

ସକାଳ ହେଲେ ଭାଲୁ ବେଶ ପୋଷାକ ଓ ମୁଖା ପିନ୍ଧି ମୋଟର ସାଇକେଲରେ ସେ ଜଙ୍ଗଲ ଅଭିମୁଖେ ବାହାରି ପଡନ୍ତି । ବେକରେ ଭାଲୁଙ୍କ ନିବେଦନ ଲେଖିଥିବା ଏକ ପୋଷ୍ଟର ପକାଇ ଏ ଗାଁରୁ ସେ ଗାଁକୁ ବୁଲନ୍ତି  ତାଙ୍କ ପାଇଁ ଖରା, ବର୍ଷା କିଛି ମାନେ ରଖେନା । ରାସ୍ତାରେ ଲୋକଙ୍କୁ ଅଟକାଇ ଜଙ୍ଗଲ ବଂଚାଇବାକୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି  ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କ୍ଷେତମୁଣ୍ଡଳି ଗାଁର ସେ ହେଉଛନ୍ତି ବିଜୟ ପ୍ରଧାନ । ଜଙ୍ଗଲକୁ ନିଆଁ ଦାଉରୁ ବଂଚାଇବା ସହ ସୁରକ୍ଷା କରିବା ତାଙ୍କର ମୁଖ୍ୟ କାମ  ପ୍ରଚାର ପତ୍ର ଛପାଇ ଘରକୁ ଘର ବୁଲି ସେ ବାଣ୍ଟିଛନ୍ତି ।

ସ୍କୁଲ, କଲେଜ, ରାସ୍ତାଘାଟ ସବୁଠାରେ ରହି ଲୋକଙ୍କୁ ଅଟକାଇ ସଚେତନ କରୁଛନ୍ତି । ଲୋକଙ୍କୁ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେବା ସହ ନିଜେ ମଧ୍ୟ ଜଙ୍ଗଲକୁ ଯାଇ ସୁରକ୍ଷା କରୁଛନ୍ତି । ଜଣେ ବନ କର୍ମଚାରୀଙ୍କ କଥାରେ ଅନୁପ୍ରାଣିତ ହୋଇ ସେ ସଚେତନତାର ଏହି ରାସ୍ତା ଆପଣାଇଥିବା କହିଛନ୍ତି ।  ଜଙ୍ଗଲକୁ ସୁରକ୍ଷା କରିବା କେବଳ ଆମର ନୁହଁ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କୁହନ୍ତି ବିଜୟ ପ୍ରଧାନ । ପଶୁପକ୍ଷୀ ନଥିଲେ ପ୍ରକୃତିର ବିକାଶ ହୋଇପାରିବ ନାହିଁ । ପାରିବାରିକ ଜଞ୍ଜାଳ ଥିଲେ ବି ଏପରି କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ।

ବିଜୟ ପ୍ରଧାନଙ୍କ ଏହି ନିଆରା ପ୍ରୟାସ ଆଖପାଖର ଲୋକଙ୍କ ମଧ୍ୟରେ ଅନେକ ପ୍ରଭାବ ପକାଇଛି । ସଚେତନତା ବାର୍ତ୍ତା ପାଇବା ପରେ ପରିବେଶ ପ୍ରତି ଲୋକଙ୍କ ଭଲ ପାଇବା ବୃଦ୍ଧି ପାଇଛି॥ ଏହି ବାର୍ତ୍ତା ଆଗାମୀ ଯୁବପିଢ଼ିଙ୍କ ମଧ୍ୟରେ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ବନବିଭାଗ ପକ୍ଷରୁ ଅଧିକ ପ୍ରୋତ୍ସାହନ ମିଳିପାରିଲେ ବିଜୟଙ୍କ ଜଙ୍ଗଲ ସୁରକ୍ଷା ସ୍ୱପ୍ନ ସାକାର ହୋଇପାରିବ । ଭାଲୁ ବେଶରେ ବିଜୟ ପ୍ରଧାନଙ୍କ ଏହି ଜଙ୍ଗଲ ସୁରକ୍ଷା ସଚେତନତା ଦ୍ୱାର ଜଙ୍ଗଲ ସୁରକ୍ଷା ସହ ଜୀବଜନ୍ତୁଙ୍କ ମଧ୍ୟ ସୁରକ୍ଷା ହୋଇପାରିବ ।

 

 

You might also like