• translate
Odishatv Bureau

ପୁରୀ: ସେବାୟତଙ୍କ ଘରକୁ ଗଲା ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ, ଚନ୍ଦ୍ର। ବେଶ ଓଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ବିଡମ୍ବନା, ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଆଜି ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି।

ଗାରଦରୁ ଏହି ବେଶ ଉପକରଣ ନେଇ ସେବାୟତଙ୍କ ଘରକୁ ଯାଉଥିବା ନିଜେ ସ୍ୱୀକାର କରିଛନ୍ତି କର୍ମଚାରୀ। ତେବେ କାହା ନିର୍ଦ୍ଦେଶରେ ଏହି ସୂର୍ଯ୍ୟ ଚନ୍ଦ୍ର ଶ୍ରୀମନ୍ଦିର ଭିତରୁ ବାହାରକୁ ଆସିଲା ଏବଂ କେଉଁ ସେବାୟତଙ୍କ ଘରକୁ ଏହା ନିଆଗଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

ପୂର୍ବରୁ ନାଗାର୍ଜୁନ ବେଶକୁ ସଂରକ୍ଷଣ କରି ରଖାଯିବା ପାଇଁ ଛତିଶା ନିଯୋଗ ଏବଂ ପରେ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢ଼ା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବିରଳ ବେଶର ଆକର୍ଷଣୀୟ ନିର୍ମାଣକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଖିବାର ସୁଯୋଗ ପାଇଥାନ୍ତେ। ସେପଟେ ଏହି ଘଟଣାର ତଦନ୍ତ ଦାୟିତ୍ୱ ନୀତି ପ୍ରଶାସକଙ୍କୁ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

 

https://youtu.be/aJaYeUUU0JA

Other Stories