ଫେରିଯିବ ‘ସୁନ୍ଦରୀ’

ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପ୍ରଶାସନର ନିଷ୍ପତ୍ତି

ଭୁବନେଶ୍ୱର : ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ,ସେ ଅାସିଥିବା ମଧ୍ୟପ୍ରଦେଶ ବାନ୍ଧବଗଡ଼କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଅାସନ୍ତା ୧୫ ତାରିଖ ସୁଦ୍ଧା ତାକୁ ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍ ଅାସୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର।

ସାତକୋଶିଅାରେ ଛଡ଼ା ଯାଇଥିବା ବାଘ ସୁନ୍ଦରୀ ଜଣେ ମହିଳାଙ୍କୁ ମାରି ଖାଇଦେଇଥିବା ଅଭିଯୋଗ ପରେ ଲୋକେ ଏମିତି ତାତିଛନ୍ତି ଯେ, କାଲି ରାତିରୁ ଅାଜି ଯାଏଁ ଥମିନି ଉତ୍ତେଜନା। ମୃତଦେହକୁ ରଖି ଲୋକେ ଅନୁଗୋଳ-ଟିକରପଡ଼ା ରାସ୍ତା ଅବରୋଧ କରିଥିଲେ ।

ବାଘକୁ ସ୍ଥାନାନ୍ତରଣ ପାଇଁ ସେମାନେ ପୁଣି ଦାବି ଉଠାଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବି ସେମାନେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ଅନୁଗୋଳ ଏସ୍‌ପି ଓ ଉପଜିଲାପାଳ ଅାନ୍ଦୋଳନକାରୀଙ୍କ ସହ ଅାଲୋଚନା କରିଛନ୍ତି। ସେପଟେ ସାତକୋଶିଅା କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ଡିଏଫ୍ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ମଧ୍ୟପ୍ରଦେଶରୁ ବାଘ ଅଣାଯିବା ଖବର ପ୍ରଚାର ଦିନଠୁ ଲୋକେ ତାକୁ ବିରୋଧ କରିଅାସୁଥିଲେ। ତେବେ ବାଘ ସୁନ୍ଦରୀ, ମଣିଷ ମାରିଥିବା ଅଭିଯୋଗ ପରେ ସାତକୋଶିଅା ଅଞ୍ଚଳରେ ଭୟ ଓ ଅାତଙ୍କର ବାତାବରଣ ସୃଷ୍ଟି ହୋଇଛି। କାରଣ ବାଘ ଅନ୍ୟ ଜଣଙ୍କୁ ଅାକ୍ରମଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ତେଣୁ ଲୋକେ ଏକୁଟିଅା ଘରୁ ବାହାରିବାକୁ ଡରୁଛନ୍ତି। ଏମିତି ଗଣେଶ ପୂଜା ସତ୍ତ୍ୱେ ସୁନ୍ଦରୀ ଭୟରେ ପିଲା ଅାଜି ସ୍କୁଲ ଯାଇ ନାହାନ୍ତି।

ସାତକୋଶିଅାରେ ବାଘ ବଂଶ ବିସ୍ତାର ପାଇଁ ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶ କାହ୍ନାରୁ ଏକ ବାଘ ଓ ଜୁନ୍ ୨୮ ତାରିଖରେ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଅା ଅଣାଯାଇଥିଲା। ଖୁବ୍ ଶୀଘ୍ର ଅନ୍ୟ ଦୁଇ ଯୋଡ଼ା ବାଘଙ୍କୁ ମଧ୍ୟ ସାତକୋଶିଅା ଅଣାଯିବ ଲାଗି ଯୋଜନା ରହିଛି। ତେବେ ସୁନ୍ଦରୀକାଣ୍ଡ ପରେ ବନବିଭାଗର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାଉପରେ ନଜର ରହିଛି।

You might also like