କେବିସି ନାଁରେ ଠକି ନେଲେ ୪୦ ଲକ୍ଷ
ସମ୍ବଲପୁର: କେବିସି ବା କୌନ୍ ବନେଗା କରୋଡପତି କରାଇ ଦେବା ନାଁରେ ଠକେଇ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ, ଅନ୍ ଲାଇନ୍ରେ ଠକି ନେଇଛନ୍ତି ୪୦ଲକ୍ଷରୁ ଅଧିକ ଟଙ୍କା । ଏମିତି ଠକାମୀର ଶିକାର ହୋଇଛନ୍ତି ସମ୍ବଲପୁରର ଜଣେ ବ୍ୟକ୍ତି। ସେ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି।
ସମ୍ବଲପୁର ହିରାକୁଦ ଅଞ୍ଚଳର ଏହି ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ଅଗଷ୍ଟ ମାସରେ ‘କୌନ୍ ବନେଗା କରୋଡ୍ପତି’ କାର୍ଯ୍ୟକ୍ରମରୁ ତାଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା। କେବିସିରେ ୪କୋଟି ଟଙ୍କା ବିଜୟୀ ହୋଇଥିବା ଏହି ମେସେଜରେ କୁହାଯାଇଥିଲା । ଯେଉଁ ନମ୍ବରରୁ ମେସେଜ ଆସିଥିଲା ସେହି ନମ୍ବରରେ ବ୍ୟକ୍ତି ଜଣକ ଯୋଗାଯୋଗ କରିଥିଲେ ।
ଟଙ୍କା ପାଇବା ପାଇଁ ତାଙ୍କୁ ପ୍ରସେସିଂ ଫି ଦେବାକୁ ପଡ଼ିବ ବୋଲି ଅପରପକ୍ଷରୁ ବ୍ୟକ୍ତି ଜଣକ କହିଥିଲେ। ଅଜଣା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ପ୍ରଥମ ପର୍ଯ୍ୟାୟରେ ସେ ଲକ୍ଷାଧିକ ଟଙ୍କା ଦେଇଥିଲେ। ପରେ ପ୍ରସେସିଂ ଫି ବାବଦକୁ ସଂପୃକ୍ତ ବ୍ୟକ୍ତି ବାରମ୍ବାର ଟଙ୍କା ମାଗିଥିଲେ। ୪ କୋଟି ଟଙ୍କା ପାଇବା ଲୋଭରେ ସେ ଜମି ବାଡି ବିକ୍ରି କରିବା ସହ ପିଏଫ୍ ଟଙ୍କା ଉଠାଇ ଦୁବୃର୍ତ୍ତମାନେ ଦେଇଥିବା ଭିନ୍ନ ଭିନ୍ନ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରୁଥିଲେ।
ପ୍ରାୟ ଏକ ବର୍ଷ ଭିତରେ ୪୦ ଲକ୍ଷରୁ ଅଧିକ ଟଙ୍କା ଡିପୋଜିଟ୍ କରିଥିଲେ। ହେଲେ କିଛି ଫଳ ନ ମିଳିବାରୁ ସେ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ। ପରେ ଏ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ପୋଲିସ ଟଙ୍କା ଡିପୋଜିଟ୍ ହୋଇଥିବା ବ୍ୟାଙ୍କ ସ୍ଲିପ୍କୁ ଜବତ କରିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମ୍ବଲପୁର ସାଇବର ଥାନା ଅଧିକାରୀ କହିଛନ୍ତି।