କଳିକାଳର କୁଲାଙ୍ଗାର ପୁଅ! ଗାଁ ବୁଲାଇନେବା ବାହାନାରେ ହାଡ଼ଭଙ୍ଗା ଜାଡ଼ରେ ମା’କୁ ରାସ୍ତାକଡ଼ରେ ଛାଡ଼ିଦେଲା

ସ୍ୱାମୀ, ପୁଅ, ବୋହୂ ଭରିଲା ପୂରିଲା ପରିବାର ଅଛି। ହେଲେ ଏବେ ସମସ୍ତେ ତାଙ୍କ ପାଇଁ ପର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମା’ ଚାଲ କୁଣିଆ ଯିବା। ଘରେ ବସି ବସି ବିରକ୍ତ ଲାଗିବଣି। ଗାଁ ବୁଲି ଆସିଲେ ଆସିଲେ ତତେ ବି ଭଲ ଲାଗିବ। ମାଡ଼ପିଟ୍ କରୁଥିବା ପୁଅ ମୁହଁରୁ ସରାଗଭରା କଥା ଶୁଣି ଖୁସି ଖୁସି ବାହାରି ପଡ଼ିଲା ମା’। ବୟସର ଅପରାହ୍ନରେ ପୁଅ ମନରେ ଥିବା ଛନ୍ଦକପଟକୁ ବା କିପରି ବୁଝି ପାରିଥାଆନ୍ତା। ହେଲେ ବୁଢ଼ୀ ମା’ର ବିଶ୍ୱାସରେ ବିଷ ଦେଲା ପୁଅ। ବୁଲାଇନେବା ବାହାନାରେ ଶୀତୁଆ ସଞ୍ଜରେ ମାମୁ ଘର ଗାଁ ରାସ୍ତା କଡ଼ରେ ଛାଡ଼ି ଆସିଲା ଯେ ଆଉ ନେବାକୁ ଫେରିଲାନି। ଅସହାୟ ଅବସ୍ଥାରେ ଗୁରୁଣ୍ଡି ଘୋଷାଡ଼ି ଚାଲୁଥିବା ମା’ର ମୋର କୁଆଡ଼େ ଯିବ ବୋଲି ଟିକିଏ ବି ଚିନ୍ତା କଲାନି କଳିଯୁଗର କୁଳାଙ୍ଗାର ପୁଅ। ପୁଲ ଚାଲିଯିବା ପରେ ଥାନାକୁ ଆସି ଥରଥର କଣ୍ଠରେ ନିଜ ଦୁଃଖ ବଖାଣିଲେ ବୁଢ଼ୀ ମା!

ସୋଭାଗିନି ମିଶ୍ରଙ୍କ ବୟସ ୮୦କୁ ଛୁଇଁଲାଣି ।  ଚମ ଧୁଡ଼ୁଧୁଡ଼ୁ, ଆଖି ପଶିଯାଇଛି! ଅଣ୍ଟା ସଳଖି ଚାଲି ପାରୁନାହାନ୍ତି । ଅତି ଅସହାୟ ଭାବେ ଷ୍ଟୁଲ ଉପରେ ବସି ଗୁରୁଣ୍ଡି ଗୁରୁଣ୍ଡି ଯିବାଆସିବା କରନ୍ତି। ସ୍ୱାମୀ, ପୁଅ, ବୋହୂ ଭରିଲା ପୂରିଲା ପରିବାର ଅଛି। ହେଲେ ଏବେ ସମସ୍ତେ ତାଙ୍କ ପାଇଁ ପର । ସ୍ୱାମୀ ବିବାହର ବର୍ଷ ପରେ ଛାଡ଼ି ଚାଲିଗଲେ। ସବୁ କୋହକୁ ଛାତିରେ ଚାପି ଧରି କୁନି ପୁଅ ମୁହଁକୁ ଚାହିଁ ସ୍ୱାମୀ ଛାଡ଼ି ଚାଲିବାର ଦୁଃଖକୁ ଭୁଲିଥିଲେ । ରକ୍ତକୁ ପାଣି କରି ପେଟରୁ କାଟି କୁନି ପୁଅକୁ ଏଡ଼େରୁ ଏଡ଼ୁଟିଏ କରିଥିଲେ। ବୁଢ଼ୀ କାଳେ ସାହାରା ହେବ ବୋଲି ଭରସା କରିଥିଲେ। ଏବେ ପୁଅ ବଡ ହୋଇ ବାହା ହୋଇ ଘର ସଂସାର କଲାଣି । ଶେଷ ସମୟରେ ମୁହଁରେ ପାଣି ଦେବ ଘର ପରିବାର ଥାଉ ଥାଉ ସବୁଦିନ ପାଇଁ ଅସହାୟ କରିଦେଲା। ଅନ୍ତଫାଡ଼ି ଜନମ ଦେଇଥିଲା ଯେ, ଏଇ ଦିନ ଦେଖେଇଲା ପୁଅ।

ନିଜ ପରିବାର ସହ ସମ୍ବଲପୁରରେ ରହୁଥିବା ବୃଦ୍ଧାଙ୍କ ପୁଅ ନିଜ ମାଁଙ୍କୁ ପାଖରେ ରଖିଥିଲା । ସୋଭାଗିନି ମଧ୍ୟ ପରଘରେ କାମକରି ପୁଅକୁ କିଛି ରୋଜଗାର କରି ଦେଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଥରେ ପଡ଼ିଯିବାରୁ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ଆଉ ତା’ପର ଠାରୁ ସେ କିଛି କରିବାକୁ ଅକ୍ଷମ। ଚାଲିବା ବି ତାଙ୍କ ପକ୍ଷେ କଷ୍ଟକର ହୋଇଗଲା।  ବୟସର ସାୟାହ୍ନରେ ଆଉ କାମଧାମ କରିପାରୁନାହାଁନ୍ତି।  ଟଙ୍କା ନମିଳିବାରୁ ପାଷାଣ ପାଲଟିଗଲା କୁଳାଙ୍ଗାର ପୁଅ। ଜନ୍ମଦାତ୍ରୀକୁ ଆଣି କୁଣିଆ ଯିବା ବାହାନାରେ ବେସାହାରା ଅବସ୍ଥାରେ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା।

ଏପରି ପୁଅକୁ ଶତଧିକ୍।  ତେବେ ଏକମାତ୍ର ସାହାଭରସା ପୁଅ ପର କରିଦେବା ପରେ ଅସହାୟ ବୃଦ୍ଧା ଜଣକ ନ୍ୟାୟ ପାଇବା ଆଶାରେ ବୀରମହାରାଜପୁର ଥାନର ଦ୍ୱାରସ୍ଥ ହୋଇଛନ୍ତି। ତେବେ ବିଭିନ୍ନ ସମୟରେ ପୁଅ ଓ ବୋହୂ ମାଡ ମାରିଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ଏହି ଅସହାୟ ମହିଳା ଜଣକ। ସେପଟେ ଅଭିଯୋଗ କରିଥିବା ଥାନା ପରିସୀମା ବାହାରେ ଥିବା କହି ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରୁନି। ଏବେ ଶୋଭାଗିନି ନିରୁପାୟ। କୁଆଡ଼େ ଯିବେ କ’ଣ କରିବେ କିଛି ଚିନ୍ତା କରିପାରୁନାହାନ୍ତି। ଥାନା ବାରଣ୍ଡାରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ବୀରମହାରାଜପୁର ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

You might also like