୧୫ ଦିନରେ ୩ ଥର ପ୍ଲାଜମା ଦାନ କଲେ

ରାୟଗଡ଼ା: କରୋନା କାଳରେ ଅନ୍ୟର ଜୀବନ ବଞ୍ଚାଇବାକୁ ପଣ କରିଛନ୍ତି ରାୟଗଡ଼ାର ସ୍ୱେଚ୍ଛାସେବୀ ବି.ଭେଙ୍କଟେଶ। କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ସେ ସହାୟତାର ହାତ ବଢାଇଛନ୍ତି। ରାୟଗଡ଼ା ସାଇପ୍ରିୟା ନଗରରେ ରହୁଥିବା ଭେଙ୍କଟେଶ ୧୫ ଦିନ ମଧ୍ୟରେ ୩ ଥର ପ୍ଲାଜମା ଦାନ କରି ସାରିଲେଣି। ନିଜ ଆଖପାଖରେ ବହୁଲୋକେ ପ୍ଲାଜମା ପାଇଁ ହଇରାଣ ହେଉଥିବା ଜାଣି ପ୍ଲାଜମା ଦାନ କରିବାକୁ ସେ ଆଗେଇ ଆସିଛନ୍ତି।

ଭେଙ୍କଟେଶ ପେଶାରେ ଏକ ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜର କର୍ମଚାରୀ ହୋଇଥିଲେ ମଧ୍ୟ ନିଶା ତାଙ୍କର ସମାଜସେବା। ସବୁବେଳେ ସେ ନିଜକୁ ସମାଜସେବାରେ ନିୟୋଜିତ କରିଥାନ୍ତି। ଗତବର୍ଷ ନଭେମ୍ବର ମାସରେ କରୋନାରେ ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ଚଳିତ ଏପ୍ରିଲରେ ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ଲାଜମା ଯୋଗାଡ଼ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ପ୍ଲାଜମା ଯୋଗାଡ଼ କରିବା ଲାଗି ବହୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ସେତେବେଳେ ଭେଙ୍କଟେଶ ବିଭିନ୍ନ ଲୋକଙ୍କ ଦ୍ୱାରା ପ୍ରେରଣା ପାଇ ନିଜର ପ୍ଲାଜମା ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ସେ ବିଶାଖାପାଟଣାରେ ପହଞ୍ଚି ପ୍ଲାଜମା ଦାନ କରିଥିଲେ। ଫଳରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା। ଚଳିତ ଏପ୍ରିଲ ୧୩, ୨୦ ଓ ୨୫  ତାରିଖରେ ୧୫ ଦିନ ମଧ୍ୟରେ ୩ ଥର ପ୍ଳାଜମା ଦାନ କରି ସାରିଲେଣି ଭେଙ୍କଟେଶ।

ପ୍ଲାଜମା ସଂଗ୍ରହ, ଅକ୍ସିଜେନ୍ ଏବଂ ହସ୍ପିଟାଲରେ ଶଯ୍ୟା ଯୋଗାଇବା ଲାଗି ହ୍ୱାଟ୍ସଆପ୍‌ରେ ଏକ ଗ୍ରୁପ୍ ତିଆରି କରି ଭେଙ୍କଟେଶ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ଲୋକେ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୭୩ରେ ପହଞ୍ଚିଛି।

You might also like