ସ୍ତ୍ରୀ ଓ ପୁଅ ସହ ଟ୍ରେନ୍‌ରେ ସୁରତରୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ଖଲ୍ଲିକୋଟ: ସ୍ତ୍ରୀ ଓ ପୁଅ ସହ ଟ୍ରେନ୍‌ରେ ସୁରତରୁ ଗାଁକୁ ଫେରୁଥିଲେ। ହେଲେ ଜାଣିନଥିଲେ ସେ ଆଉ ଘରେ ପହଞ୍ଚି ପାରିବେ ନାହିଁ ଓ ଅଧା ବାଟରେ ଚାଲିଯିବ ଜୀବନ। କିଛିଦିନ ତଳେ ସୁରତରୁ ଗାଁକୁ ଫେରିବା ବାଟରେ ଟ୍ରେନ୍‌ରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଓଖା-ପୁରୀ ଟ୍ରେନ ଭିତରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ମିରିଗିଲେଣ୍ଡି ଗାଁର ଭାଗିରଥୀ ଗୌଡ଼।

ଗତକାଲି ଟ୍ରେନରେ ଭାଗିରଥୀ ପୁଅ ସ୍ତ୍ରୀଙ୍କ ସହ ଘରକୁ ଫେରୁଥିବା ବେଳେ ବିଶାଖାପାଟଣା ରେଲ୍‌ୱେ ଷ୍ଟେସନ ଅତିକ୍ରମ କରିବାପରେ ଟ୍ରେନ୍‌ ଭିତରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତଦେହ ଟ୍ରେନ୍‌ରୁ ବାହାରକୁ ଆଣିବା ପାଇଁ ବ୍ରହ୍ମପୁର ରେଲ୍‌ୱେ ଷ୍ଟେସନରେ ଭାଗିରଥୀ ପୁଅ ଲୋକଙ୍କ ସହାୟତା ଲୋଡ଼ିଥିଲେ ବି କେହି ମୃତଦେହ ପାଖକୁ ଆସିନଥିଲେ କି ତାଙ୍କୁ ସାହାଯ୍ୟ କରିନଥିଲେ ବୋଲି ଭାଗିରଥୀଙ୍କ ପୁଅ କହିଛନ୍ତି। ଶେଷରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଷ୍ଟେସନରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରି ଭାଗିରଥୀ ପୁଅଙ୍କ ଗାଡ଼ି ଅଟକାଇଥିଲେ। ଗାଡ଼ି ଷ୍ଟେସନରେ ଅଟକିବା ପରେ ମୃତଦେହ ବାହାରକୁ ଅଣାଯାଇଥିଲା। ଏନେଇ ଜିଆର୍‌ପି ପାଖରେ ଖବର ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମୃତଦେହ ପୋଷ୍ଟମର୍ଟମ ପାଇଁ ଖୋର୍ଦ୍ଧା ମେଡିକାଲ୍‌ ପଠାଯାଇଛି। ଭାଗିରଥୀ ପୁଅଙ୍କ କହିବା ଅନୁଯାୟୀ, ବାପାଙ୍କର ଜ୍ୱର ହୋଇଥିଲା ଏବଂ ଶ୍ୱାସ ଜନିତ ସମସ୍ୟା ଯୋଗୁ ବାପାଙ୍କର ମୃତ୍ୟୁ ହୋଇଛି। ସୁରତରୁ ଗାଁକୁ ଫେରିବା ସମୟରେ ମୃତ ଭାଗିରଥୀଙ୍କ ସହ ଧର୍ମପତ୍ନୀ ଏବଂ ପୁଅ ଥିଲେ।

ସୂଚନାଥାଉ କି, କିଛିଦିନ ତଳେ ପୁରୀ-ଅହମଦାବାଦ ଟ୍ରେନ୍‌ରେ ଏଭଳି ଏକ ସମାନ ଘଟଣା ଘଟିଥିଲା। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା। ବିଶ୍ୱନାଥ ସୁରତରୁ ସମ୍ପର୍କୀୟଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍‌ରେ ଖଲ୍ଲିକୋଟ ଷ୍ଟେସନ ଫେରିବା ସମୟରେ ଟ୍ରେନରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷେ, ସଂକ୍ରମଣ ବଢ଼ୁଥିବା ବେଳେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରେଲୱେ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ ଚାଲିଛି।

You might also like