ସ୍ତ୍ରୀଙ୍କ ଶବ ଧରି ଫେରୁଥିଲେ, ଅଧାବାଟରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ବିବାହ ବେଦୀରେ କଥା ଦେଇଥିଲେ,ହାତ ଧରି ଚାଲିବେ। ଏକାଠି ଜିଇଁବେ…ଏକାଠି ମରିବେ…। ଆଉ କଥା ବି ରଖିଲେ। ପତ୍ନୀଙ୍କ ମୃତଦେହ ଧରି ଘରକୁ ଫେରୁଥିଲେ, ଅଧାବାଟରେ ଆଖି ବୁଜିଦେଲେ ସ୍ୱାମୀ। ଏମିତି ଏକ ଦୁଃଖଦ ଘଟଣା ଘଟିଛି  ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଂଚଳରେ ।

ତୁରେକେଲା ବ୍ଲକ ଲର୍କି ଗାଁର ବିପିନ ସେଠଙ୍କ ସ୍ତ୍ରୀ ସାଏବାନୀ କିଛି ଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ  ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସାଏବାନୀଙ୍କର ମୃତ୍ୟୁ ଘଟିଥିଲା। ପରେ ଏକ ଘରୋଇ ଆମ୍ବୁଲାନ୍ସରେ ମୃତଦେହକୁ ତାଙ୍କର ସ୍ୱାମୀ ଗାଁକୁ ନେଇ ଆସୁଥିଲେ।

ଗାଁରେ ହୋଇଥାନ୍ତା ଶେଷକୃତ୍ୟ।  ହେଲେ କିଏ ଜାଣିଥିଲା ଗୋଟିଏ ମଶାଣୀରେ ଏମିତି ଏକାଠି ଜଳିବ ଦୁହିଙ୍କର ଜୁଇ ! ପଦ୍ମପୁର- ପାଟଣାଗଡ ରାସ୍ତାର ଝୁଲେନବର ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଘଟଣାସ୍ଥଳରେ ବିପିନଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପାଟଣାଗଡ ପୋଲିସ ଘଟଣାର ତଦନ୍ତ କରୁଛି । କିନ୍ତୁ ଏକ ଦୁଃଖଦ ଘଟଣାକୁ ନେଇ ସବୁରି ମୁହଁରେ ଗୋଟିଏ କଥା-‘ସତରେ ମୃତ୍ୟୁ କ’ଣ ଏମିତି ବି ଆସେ ?‘

You might also like