ନିର୍ବନ୍ଧ ସରିଥିବା ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ପୁଇଁନ୍ତଳା : ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ବାହାଘର ହୋଇଥାଆନ୍ତା । ବାଣ,ବାଜା ରୋଷଣୀରେ ସାଙ୍ଗସାଥୀ ପରିବାର ମେଳରେ ଯାଇଥାଆନ୍ତା ବରଯାତ୍ରୀ । ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଅଚାନକ କ’ଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ ଯୁବକ । ନୂଆବୋହୂ ଘରକୁ ଆଣିବା ବଦଳରେ ଶ୍ମଶାନକୁ ଗଳା ବର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ବୁରୋଭାଡି ଗାଁରେ ।
ଶ୍ରମିକ ଭାବରେ କାମ କରୁଥିବା ସଚ୍ଚିଦାନନ୍ଦ ମାଝିଙ୍କ ଆସନ୍ତା ମେ ୩ ତାରିଖରେ ବିବାହ ସ୍ଥିର ହୋଇଥିଲା। ତରଭା ଥାନା ସରଗଜ ଗାଁରେ ବାହା ହୋଇଥାଆନ୍ତା । ନିର୍ବନ୍ଧ ପରେ ଉଭୟ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। ସବୁ କିଣାକିଣି ସରିଥିଲା। ହେଲେ ସବୁ ବନ୍ଧନ ତୁଟାଇ ଘର ପରିବାରକୁ ପର କରି ଆଜି ନିଜ ଚାଷ ଜମିର ଏକ ପଳାସ ଗଛରେ ବେକରେ ପିନ୍ଧା ଗାମୁଛାରେ ସଚ୍ଚିଦାନନ୍ଦ ଆତ୍ମହତ୍ୟା କରିଛନ୍ତି । ପୁଇଁନ୍ତଲା ପୋଲିସ ଶବ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିପାରିନାହଁ। ଦୁଇ ମାସ ପରେ ବାହାଘର ଥିବା ବେଲେ କଣ ପାଇଁ ସଚ୍ଚିଦାନନ୍ଦ ଆତ୍ମହତ୍ୟା କଲେ ତାକୁ ନେଇ ଚର୍ଚ୍ଚା ହେଉଛଇ । ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।