ପତାକା ଉତ୍ତୋଳନ ପରେ ଅନ୍ୟ ଜଣଙ୍କ ଦ୍ୱାରା ଚପଲ ବୁହାଇଲେ ମନ୍ତ୍ରୀ !

କେନ୍ଦୁଝର (ପ୍ରଣୟ ପାଣି): ଆଜି ସାରା ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ବେଶ୍‌ ଧୂମ୍‌ଧାମ୍‌ରେ ପାଳିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି କେନ୍ଦୁଝରରେ ବି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ହେଲେ ଏଠାକୁ ମୁଖ୍ୟ ଅତିଥି ହୋଇ ଆସିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚପଲ ବୁହାଇବା ଘଟଣାକୁ ନେଇ ଫସି ଯାଇଛନ୍ତି।

ପଦ୍ମନାଭ ବେହେରା ଆଜି ଏଠାରେ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ପତାକା ଉତ୍ତୋଳନ କରିବା ପାଇଁ ସେ ଜୋତା ଖୋଲି ଦେଇଥିଲେ। ପତାକା ଉତ୍ତୋଳନ ପରେ ଜଣେ ବ୍ୟକ୍ତି ତାଙ୍କ ଜୋତାକୁ ନେଇ ଷ୍ଟେଜ୍ ଉପରକୁ ଆସିଥିଲେ ଓ ତାଙ୍କ ପାଦ ପାଖରେ ରଖି ଦେଇଥିଲେ। ତା’ପରେ ମନ୍ତ୍ରୀ ଜୋତା ପିନ୍ଧିଥିଲେ। ଏହି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ଅନେକ ଲୋକ ଏହାକୁ ନାପସନ୍ଦ କରିଥିଲେ।

ତେବେ ଜୋତା ବୁହାଇବା ଘଟଣାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, “କେହି ଚପଲ ଉଠାଇ ନାହାନ୍ତି। ଚପଲ ପିନ୍ଧି ଜାତୀୟ ପତାକା ଉତ୍ତୋଳନ କରିବା ଆଦୌ ଶୋଭନୀୟ ନୁହେଁ। ତେଣୁ ପତାକାକୁ ସମ୍ମାନ ଦେବା ପାଇଁ ଚପଲ ରଖି ଥିଲି। ନିଜ ଯାଇ ପିନ୍ଧିଲି।”

You might also like