ଚିକିତ୍ସା ପାଇଁ ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ବସାଇ କଟକ ଆଣିଲେ ବୃଦ୍ଧ

ପୁରୀ: ଦୀର୍ଘ ଏକ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପତ୍ନୀ। ସାଧ୍ୟମତେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା ବଢୁଥିଲା ସିନା କମୁ ନ ଥିଲା। ପତ୍ନୀଙ୍କ ଦୁଃଖ ଆଉ ସହି ପାରିଲେନି। ଅଧିକ ଚିକିତ୍ସା ପାଇଁ ହାତରେ ସମ୍ବଳ ନାହିଁ, ତଥାପି ମନରେ ଆଶା ଅଛି, କଟକ ନେଲେ ପତ୍ନୀ ଭଲ ହେବେ। ଅର୍ଥାଭାବରୁ ଗାଡ଼ି କି ଆମ୍ବୁଲାନ୍ସ କରିପାରି ନ ଥିଲେ। ଶେଷରେ ଟ୍ରଲିରେ ବସାଇ ସାକ୍ଷୀଗୋପାଳରୁ କଟକ ଆଣିଥିଲେ ୭୦ ବର୍ଷର ବୃଦ୍ଧ। ଓଏମପି ଛକରେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ଦେଖିବା ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି।

ପୁରୀ ଜିଲ୍ଲା ସାକ୍ଷୀଗୋପାଳର କବିର ଭୋଇ। ବୟସ ୭୦ ଛୁଇଁଲାଣି। କବିର ଭୋଇଙ୍କ ପତ୍ନୀ ସୁକାନ୍ତି ଭୋଇ ୧୦ ଦିନ ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସପିଟାଲକୁ ନେଇଥିଲେ। ତେବେ ସେଠାରେ ୫ ଦିନ ପରେ ପତ୍ନୀଙ୍କୁ ଘରକୁ ନେବାକୁ କହିଥିଲେ। ପତ୍ନୀଙ୍କ ଦେହରେ ରକ୍ତ ନ ଥିଲା। ରକ୍ତ ଦେଇ ନ ପାରି ଘରକୁ ପଳାଇ ଆସିଥିଲେ ।

ଗାଁରେ ସୁକାନ୍ତୀଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ କବିର ତାଙ୍କୁ କଟକ ନେବାକୁ ଚିନ୍ତା କରିଥିଲେ। ହେଲେ ଅର୍ଥ ଅଭାବରୁ ଭଡା ଗାଡି କରିପାରି ନ ଥିଲେ। ଅଟୋ ସାକ୍ଷୀଗୋପାଳରୁ କଟକ ଆଣିଦେବା ପାଇଁ ୧୨୦୦ ଟଙ୍କା ନେବ ବୋଲି କହିଥିଲା। ଫଳରେ ଦିନକୁ ୫୦ ଟଙ୍କା ଭଡାରେ ଏକ ଟ୍ରଲି ଭଡା କରି ଗତକାଲି ୯ଟାରେ ଗାଁରୁ କଟକ ଅଭିମୁଖେ ବାହାରିଥିଲେ କବିର ।

ଗତକାଲି ସକାଳ ୯ଟାରୁ ବାହାରି ଆଜି ସକାଳେ କଟକରେ ପହଞ୍ଚିଥିଲେ।  କଟକ ଓଏପି ଛକରେ କିଛି ସ୍ୱେଚ୍ଛାସେବୀ ଏବଂ ଓଟିଭି ଟିମ୍ ଦେଖିବା ପରେ ଏକ ଅଟୋ ଭଡା କରି କବିର ଏବଂ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ କଟକ ବଡ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ । ଏସିବି କତ୍ତୃପକ୍ଷ ତାଙ୍କର ପ୍ରାଥମିକ ଚିକିତ୍ସା କରିଛନ୍ତି। ଏଥିସହିତ ସୁକାନ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମେଡିକାଲ କର୍ତ୍ତୃପକ୍ଷ ବହନ କରିବେ କହିଛନ୍ତି।

ଏ ନେଇ କୋହଭରା କଣ୍ଠରେ କବୀର କହିଛନ୍ତି, ‘ମୁଁ ମୂର୍ଖ ଲୋକ, କିଛି ଜାଣିନି। ପୁରୀ ଡାକ୍ତରଖାନା ଫେରାଇ ଦେବା ପରେ ଦେହ ଅଧିକ ବେଶି ଖରାପ ହୋଇଗଲା। ଏଠିକି ଆସିଲେ ଭଲ ହୋଇଯିବ ଭାବି ନେଇ ଆସିଛି…..’

 

You might also like