ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପିଟିଲେ ଯୁବତୀ
ନୀଳଗିରି: ବାଲେଶ୍ୱର ଜିଲ୍ଲା ତେଲିପାଳ ଟିଏମସି ସେଣ୍ଟରରେ କ୍ୱାରେଣ୍ଟିନରେ ରହିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାର ଦୋଷୀ ଦିନକ ପରେ ଜାମିନ୍ ପାଇ ବାହାରେ ବୁଲୁଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ପୀଡ଼ିତା ଯୁବତୀଜଣକ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି।
ବରହମପୁର ଥାନା ଅଧୀନ ତେଲିପାଳ ଟିଏମସି ସେଣ୍ଟରରେ ପ୍ରବାସୀ ଯୁବତୀଙ୍କୁ ଜଣେ ବାହାର ଲୋକ ପଶି ଗତ ୨୬ ତାରିଖ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଟିଏମସି କେନ୍ଦ୍ରର ଲୋକେ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟିଥିଲେ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ଏହା ପରଦିନ ଅର୍ଥାତ୍ ୨୭ ତାରିଖ ଦିନ ଅଭିଯୁକ୍ତଙ୍କୁ ବେଲ ମିଳି ଯାଇଥିଲା। ଅଭିଯୁକ୍ତଙ୍କୁ ବାହାରେ ବୁଲୁଥିବା ଦେଖି ଯୁବତୀ ଭୟଭୀତ ହୋଇ ପଡ଼ିବା ସହ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କଣ୍ଟେନମେଣ୍ଟ ଜୋନ ଚାରିପାଖରେ ୧୪୪ ଧାରା ଜାରି ହେବା ସତ୍ତ୍ୱେ କିପରି ସଂପୃକ୍ତ ବ୍ୟକ୍ତି ପଶି ଏପରି କାଣ୍ଡ ଘଟାଇଲେ ସେ ନେଇ ମଧ୍ୟ ଯୁବତୀ ଜଣକ ପ୍ରଶ୍ନ କରିଛନ୍ତି।
ଯାହା ବି ହେଉ, ପୋଲିସ ପାଖରୁ ହତାଶ ହେବା ପରେ ଯୁବତୀ ଜଣକ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ନିଜେ ଅଣ୍ଟା ଭିଡ଼ିଛନ୍ତି। ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପିଟିଛନ୍ତି। ଏହି ଘଟଣାକୁ ନେଇ ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ ଯୁବତୀଜଣକ ନ୍ୟାୟ ଭିକ୍ଷା କରିବା ସହ ଆଉ ଏକ ଭିଡିଓରେ ଯୁବତୀ ନିଜେ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟୁଥିବାର ଭିଡ଼ିଓ ଭାଇରାଲ ହେଉଛି ।