ଖାପ୍ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର, ଛୁରା ମାଡ଼ରେ ୨ ମୃତ
ମାଲକାନଗିରି(ଜିତେନ୍ଦ୍ର ବେଉରା) : ଖାପ୍ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର। ଧାରୁଆ ଅସ୍ତ୍ର ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
MPV-33 ଗାଁର ବିଧାନ ମିର୍ଦ୍ଧାଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା। ଏହା ସମାଧାନ ପାଇଁ ଆଜି ସନ୍ଧ୍ୟାବେଳେ ବସିଥିଲା ଖାପ୍ ପଞ୍ଚାୟତ। ଏଥିରେ ଗାଁର ମୁରବିମାନେ ସାମିଲ ହୋଇଥିଲେ। ତେବେ ଖାବ୍ ପଞ୍ଚାୟତ ଚାଲିଥିବା ବେଳେ ବିଧାନ ମିର୍ଦ୍ଧା ହଠାତ ଏକ ଛୁରୀରେ ସମସ୍ତଙ୍କୁ ଆକ୍ରମଣ କରିଥିଲା। ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମାଧବୀ ରାୟ ଓ ବିଶ୍ୱଜିତ ରାୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।