କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ।

ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରନ୍ତି।

ଭୀମ କୁଣ୍ଡରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ତେଣୁ ଏହି ୬ମାସକୁ ଶୁଭ ବୋଲି କୁହାଯିବା ସହ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ସୂର୍ଯ୍ୟ ଉପାସନ କରାଯାଏ । ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ ।

ମକର  ସଂକ୍ରାନ୍ତିକୁ ନେଇ ଏକ ପୌରାଣିକ ଆଖ୍ୟା ମଧ୍ୟ ରହିଛି।  ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି ।

ମକର ସଂକ୍ରାନ୍ତି ଦିନ   ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି ।

ସେତିକି ନୁହେଁ, ମକର ସଂକ୍ରାନ୍ତି ପାଳନ ପଛରେ ଆହୁରି ଅନେକ କାହାଣୀ ରହିଛି।

କୁହାଯାଏ ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ଭାଗୀରଥିଙ୍କ ପଛେ ପଛେ ଚାଲି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗରରେ ମିଶିଥିଲେ। ଆଉକେହି ବିଶ୍ୱାସ କରନ୍ତି, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ବ୍ରତ ରଖିଥିଲେ। ଏହିଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଡି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ।

ଓଡ଼ିଶାରେ ମୟୂରଭଞ୍ଜ ଓ କେନ୍ଦୁଝରର ଏହି ପର୍ବ ଜାକଜମକରେ ପାଳନ କରଥାନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ।  ପୁଣ୍ୟତୋୟା ବୈତରଣୀ ନଦୀର ଭୀମକୁଣ୍ଡ ଏବଂ କେଶରୀ କୁଣ୍ଡରେ ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।

ଲୋକଙ୍କ ବିଶ୍ୱାସ ଅଛି, ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାଇଲେ ପୁଣ୍ୟ ମିଳିଥାଏ ସେଥିପାଇଁ ପ୍ରତିବର୍ଷ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ନଦୀରେ ବୁଡ ପକାଇବା ସହ ଭୀମକୁଣ୍ଡର କୁଣ୍ଡେଶ୍ୱର ମହାଦେବ ଏବଂ କେଶରୀ କୁଣ୍ଡର ଶିବ ମନ୍ଦିରରେ ଲୋକେ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି

ଆଜି ଓଡ଼ିଆଙ୍କ ଘରେ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଆଜିର ତିଥିରେ ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀ ଜିଉ। ସକାଳୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ।

ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ  ହାତପୈଠ ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆଣିଥାନ୍ତି। ଏହା ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ ସୁଦୁ ସୁଆର ସେବକ ଏସବୁ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି ।ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି ।

ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ ଏହି କ୍ରମରେ ଓଡ଼ିଶାରେ ଥିବା ତେଲୁଗୁ ସଂପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରୁଛନ୍ତି। ଏହି ପର୍ବକୁ ସେମାନେ ୩ ଦିନ ଧରି ପାଳନ କରନ୍ତି।

You might also like