ଲକଡାଉନ୍‌ରେ ବୁଲା ବ୍ୟବସାୟୀଙ୍କ ହାଲ୍‌ ବେହାଲ

ଭୋକରେ ରଖିଲା ଲକଡାଉନ୍‌

  • ଲକଡାଉନ୍‌ର ମହାଯନ୍ତାରେ ଛଟପଟ ରାସ୍ତାକଡ଼ ଓ ବୁଲା ବ୍ୟବସାୟୀ
  • ଦେଢ଼ ମାସ ହେଲା ବେଉସା ବନ୍ଦରୁ ଅସମ୍ଭବ ହେଲାଣି ପରିବାର ପ୍ରତିପୋଷଣ
  • ଛଳ ଛଳ ଅଖିରେ ବଖାଣୁଛନ୍ତି ଯନ୍ତ୍ରଣା, ଲକଡାଉନ୍‌ ଉଠାଇବାକୁ ଦାବି

ଭୁବନେଶ୍ୱର: ଲକଡାଉନ୍‌ର ମହାଯନ୍ତାରେ ପଡ଼ି କେମିତି ଅଛନ୍ତି ରାସ୍ତାକଡ଼ ଓ ବୁଲା ବ୍ୟବସାୟୀ? କେମିତି ଚଳୁଛି ସେମାନଙ୍କ ପରିବାର? ଜାଣିବାକୁ ଆମେ କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଯେଉଁ କେତୋଟି ମୁହଁ ଖୋଜି ପାଇଲୁ, ସମସ୍ତେ ବଖାଣିଥିଲେ ଯନ୍ତ୍ରଣାର ଲମ୍ବା କାହାଣୀ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଶୀଘ୍ର ଲକଡାଉନ୍‌ର ଅନ୍ତ ହେଉ। ନହେଲେ ସରକାର ସହାୟତା ଯୋଗାନ୍ତୁ।

ମେହନତି ମଣିଷର ପେଟ ପାଟଣାକୁ ଯେମିତି ଶକ୍ତ ଲାତ ମାରିଛି ଏ ମହାମାରୀ। ଜୀବନ ଗାଡ଼ି ଗଡ଼ିବାକୁ ଦୁଇ ଓଳି ଦୁଇମୁଠା ଦାନା ଯୋଗାଡ଼ର ସର୍ବଶ୍ରେଷ୍ଠ ସାହାରା ସାଜିଥିବା ଠେଲା ଗାଡ଼ିରେ ଯେମିତି ପଡିଛି ଲକଡ଼ାଉନ୍‌ର ଶିକୁଳି। ଯେନତେନ ବେଉସାରେ ବଞ୍ଚିଯିବାର ବାଟ ମିଳିଯାଉଥିବା ସହର କଟକରେ ନିଜ ଗୁପୁଚୁପ୍ ଠେଲାକୁ ଘୋଡ଼େଇ ଘାଡ଼େଇ ରଖିଛନ୍ତି ଗୁପୁଚପ୍ ବ୍ୟବସାୟୀ ଗଣେଶ ମହାତୋ। କଟକ ବାଦାମବାଡ଼ି ଛକ ଭରତିଆ ଟାଓ୍ୱାର ପାଖରେ ଗୁପୁଚପ୍ ବିକନ୍ତି ସେ। ଦେଢ଼ ମାସ ହେଲା ବେପାର ବନ୍ଦ ଥିବାରୁ ଯେନତେନ ପେଟ ଚାଖଣ୍ଡକ ସିନା ପୁରିଯାଉଛି, ହେଲେ ପିଲା କୁଟୁମ୍ବଙ୍କ ପାଇଁ ଦାନା ଯୋଗାଡ଼ ଅବସ୍ଥା ବାର ବାଜିଲାଣି। ପଇସା ନଥିବାରୁ ଗାଁକୁ ବି ଯାଇପାରୁ ନାହାନ୍ତି। ସେହିପରି ରାଣୀହାଟ ଛକରେ ଠେଲାରେ ବରା-ପିଆଜି ଦୋକାନ କରି ପରିବାର ପୋଷୁଥିବା ଗଜେନ୍ଦ୍ର ସାହୁଙ୍କର ରାସ୍ତା କଡ଼ରେ ଠେଲା ଲାଗିଲେ ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ଼ ହୁଏ। ହେଲେ ଦୀର୍ଘ ଦିନ ହେଲାଣି ଟଙ୍କାଟିଏ ବି ରୋଜଗାର ନାହିଁ।

ଗଜେନ୍ଦ୍ର କହୁଛନ୍ତି ଧାର କରଜରେ ବୁଡ଼ି ଗଲେଣି, ଆଉ ବେଶୀ ଦିନ ଏଭଳି ଚାଲିଲେ ଅବସ୍ଥା ବାରଣ୍ଡା ଦିକଡ଼ା ହୋଇଯିବ। ସମାନ ସ୍ଥିତି ସାଇକେଲରେ ବୁଲି ବୁଲି ଦହିବରା ବିକ୍ରି କରୁଥିବା ରଘୁନାଥଙ୍କର ଘରେ ଦହିବରା ହାଣ୍ଡି, ଡେକଚିି ସବୁ ଖାଲି ଖାଲି ଗଡୁଛି। ହେଲେ ଅବସ୍ଥା ଭିତରେ ବ୍ୟବସ୍ଥା ଖୋଜି ବେଉସାକୁ କିଞ୍ଚିତ ମାତ୍ରାରେ ବଞ୍ଚାଇ ରଖିଥିବା ଦେଉଳ ସାହିର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ବାବୁଲା ସାହୁ କିନ୍ତୁ ଆପଣାଇଛନ୍ତି ଅଲଗା ବାଟ। ଏକ ଡେଲିଭରି ସଂସ୍ଥା ସହ ମିଶି ଅନଲାଇନରେ ଗ୍ରାହକଙ୍କୁ ଯୋଗାଉଛନ୍ତି ତାଙ୍କ ହାତ ତିଆରି ସୁଆଦିଆ ଦହିବରା ଓ ଆଳୁଦମ୍। ଦିନକୁ ପାଖାପାଖି ୨ଶହ ପ୍ଲେଟ୍ ଅର୍ଡର ଆସୁଥିବା କହିଛନ୍ତି ବାବୁଲା।

ରାଜଧାନୀ ଭୁବନେଶ୍ୱରରେ ତ ସ୍ଥିତି ଆହୁରି ଅକଥନୀୟ। ରାସ୍ତାକଡ଼ ବ୍ୟବସାୟୀଙ୍କର ବାର ବାଜିଲାଣି। ବିଜେବି ନଗର ମେଡିକାଲ ବସ୍ତିରେ ରହୁଥିବା ଗୁପଚୁପ୍ ବ୍ୟବସାୟୀ କୋମଲ ଦେଓଙ୍କର ଲକଡାଉନ୍‌ରେ ବେପାର ବୁଡିଛି, ଠେଲାରେ ଲଟା ମାଡ଼ି ଗଲାଣି। ଗତ ବର୍ଷର ସ୍ଥିତି କଥା ଭାବି ଆଗୁଆ ସ୍ତ୍ରୀ ଓ ପିଲାଙ୍କୁ ବିହାର ସ୍ଥିତ ନିଜ ଗାଁକୁ ପଠାଇ ଦେଇଛନ୍ତି। ଏବେ କେବେ କେମିତି ମୂଲ ଲାଗି ନହେଲେ ଶୁଖା ପାମ୍ପଡି ବିକି ପେଟ ଭର୍ତ୍ତି କରିବାକୁ ପଡୁଛି। ତାଙ୍କ ଭଳି ହଜାର ହଜାର ଉଠା ଓ ରାସ୍ତାକଡ଼ ଦୋକାନୀଙ୍କ ସମାନ ସ୍ଥିତି।

ଆଖି ବଖାଣୁଛି ଭୋକର ଜ୍ୱାଳା। ବାଲେଶ୍ୱର କୋର୍ଟ ପାଖରେ ଦୀର୍ଘ ୨୦ ବର୍ଷ ହେଲା ଛୋଟିଆ ଚା ଦୋକାନଟିଏ କରି ପରିବାର ଚଳାଉଥିବା ମାଳତୀ ଦାସଙ୍କ ଅବସ୍ଥା କହିଲେ ନସରେ। ପେଟ ପୋଡ଼ି ଯାଉଛି ଯେତେବେଳେ ଲୁଚାଛପାରେ କେଇ କପ୍ ଚା ବିକି ଦେଲେ କମ୍ ସେ କମ୍ ଖାଇବା ଖର୍ଚ୍ଚ ଉଠି ଯାଉଥିବା ଆଖି ଛଳ ଛଳ ହୋଇ ଆମ ଆଗରେ ବଖାଣିଥିଲେ ମନର କୋହ। ତେବେ ସତରେ ଲକଡାଉନ୍‌ ଅନେକଙ୍କୁ ଭୋକରେ ରଖିଦେଇଛି।

କଟକରୁ ପ୍ରଭାତ ବିଷୋୟୀ, ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ

You might also like