ଧର୍ମେନ୍ଦ୍ରଙ୍କୁ ମହେଶଙ୍କ ଚ୍ୟାଲେଞ୍ଜ

ବିଜେଡିର ଅହଙ୍କାର ବଢ଼ି ଗଲାଣି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ିବା ଚର୍ଚ୍ଚା ପରେ ଆଜି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ମହେଶ ସାହୁ। ପାଲଲହଡ଼ାରେ ବର୍ତ୍ତମାନ ବିଧାୟକ ଥିବା ମହେଶ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲଢ଼ିଲେ ମୁଁ ସ୍ୱାଗତ କରିବି।”

ସେ ଆହୁରି କହିଛନ୍ତି, “ମୁଁ ଯେତିକି ଜାଣିଛି ଧର୍ମେନ୍ଦ୍ର ପ୍ରଧାନ ନା ଲୋକସଭା ନା ବିଧାନସଭା, ଓଡ଼ିଶାର କୌଣସି ସ୍ଥାନରୁ ଲଢ଼ିବେ ନାହିଁ। ଯଦି ଲଢ଼ନ୍ତି, ତେବେ ବିଜେଡି ତାଙ୍କୁ ସ୍ୱାଗତ କରିବ। ମୋ ବିଧାନସଭା ମଣ୍ଡଳିରେ ଲଢ଼ିଲେ ବହୁତ ଖୁସି ହେବି। ପକେଟରୁ ବାହାର କରୁଥିବା ଧନ ଓ ବସ୍ତାରୁ ବାହାର କରୁଥିବା ଧନ ମଧ୍ୟରେ ବହୁତ ଫରକ ଅଛି। ଲୋକଙ୍କ ମନକୁ କିଣିବାରେ ବିଜୁ ଜନତା ଦଳର ଯୋଗ୍ୟତା ଅଛି ଓ ବ୍ୟକ୍ତିଗତ ଭାବେ ମୋର ଯୋଗ୍ୟତା ଅଛି। ସଂଗଠନ ଯାହା ଅଛି, ତାଙ୍କ କଥା ତଳସ୍ତରରେ ପହଞ୍ଚି ପାରିବ ନାହିଁ।”

ମହେଶ, ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ କରିବା ବିଜେପି ଏହାର ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ବିଜେଡିର ଅହଙ୍କାର ବଢି ଗଲାଣି। ଲମ୍ବା ସମୟ କ୍ଷମତାରେ ରହିଲେ, ଭ୍ରଷ୍ଟାଚାର ମନଇଚ୍ଛା କଲେ। ନାହିଁ ନଥିବା ଭ୍ରଷ୍ଟାଚାରରେ ଓଡ଼ିଶା ବଢ଼ିଲା, ଲୋକେ ତଳିତଳାନ୍ତ ହେଲେ। ଟଙ୍କା ବସ୍ତାରେ ବୁହା ହେଉଛି କି ନବୀନ ନିବାସ ଖଟ ତଳେ ଅଛି, ସେ କଥା ମହେଶ ବାବୁ ଜାଣି ନଥିବେ। ଏ ବିଷୟରେ ସେ ତାଙ୍କ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଲେ ସେ ଭଲ ଭାବେ କହି ପରିବେ।”

You might also like