ମାହାଙ୍ଗା ଡବଲ ମର୍ଡର ଘଟଣା: ଡିଜି ଅଫିସ ଘେରିଲା ବିଜେପି

କଟକ: ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ମିଳିଥିବା ସୂଚନା ଅନୁସାରେ, ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଛନ୍ତି।

ମାତା ମଠରୁ ବାହାରି ଏହି ଶୋଭାଯାତ୍ରା ଡିଜିପି ଅଫିସ ଅଭିମୁଖେ ଯାଇଥିଲା। ତେବେ ମନ୍ତ୍ରିମଣ୍ଡଳରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ବିଜେପି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ବି ମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଦଳ ପ୍ରଶ୍ନ କରିଛି। ମାହାଙ୍ଗା ଘଟଣାରେ ପୋଲିସ ଏଯାଁଏ ମୋଟ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ। ଏପଟେ ବିଜେପିର ଆନ୍ଦୋଳନ ପାଇଁ ଡିଜିପି ଅଫିସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେପଟେ ଗତକାଲି ବିଜେପି ରାଜ୍ୟ ପ୍ରଭାରୀ ପ୍ରେସମିଟ୍ କରି ରାଜ୍ୟ ସରକାର ଉପରେ ପ୍ରବଳ ବର୍ଷିଥିଲେ। ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ହତ୍ୟା ମାମଲାର ଅସଲ ଦୋଷୀ କିଏ? କାରଣ ଯେଉଁ ୧୩ ଜଣଙ୍କ ନାଁ ଏତଲାରେ ଅଛି ସେମାନଙ୍କ ମଧ୍ୟରୁ ଏବେ ବି ୮ ଜଣ ଗିରଫ ହୋଇନାହାନ୍ତି। ବଡ଼କଥା ହେଲା ମୃତ୍ୟୁ ପୂର୍ବରୁ ଦିବ୍ୟସିଂହ କିଛି ଲୋକଙ୍କ ନାଁ ନେଇଥିଲେ ବି ସେ ଦିଗରେ ପୋଲିସ ହାତ ମାରିନଥିବା ଅଭିଯୋଗ ହେଉଛି। ହିଂସା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ରାଜ୍ୟ ସରକାରଙ୍କ କାହିଁକି ଏଭଳି ଆଭିମୁଖ୍ୟ ବୋଲି ପ୍ରଶ୍ନ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି ବିଜେପି। ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଗତକାଲି ମୃତକଙ୍କ ପରିବାରକୁ ଭେଟିବା ସହ ନ୍ୟାୟ ପାଇଁ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସିଧାସଳଖ ଆହ୍ୱାନ ଦେଇଛନ୍ତି। ନବୀନ ବାବୁ ଟିକେ ବାହାରକୁ ଆସି ଟିକେ ଆଖି କାନ ଖୋଲି ଦେଖନ୍ତୁ ଓ ଶୁଣନ୍ତୁ ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। ଏଥିସହିତ ଯେ,ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଆମେ ତାଙ୍କ ସହିତ ଛିଡ଼ା ହେବୁ ତାଙ୍କ ପାଇଁ ଲଢ଼ିବୁ ବୋଲି କହିବା ସହିତ ତାଙ୍କ ପରିବାରକୁ ଏତେ ହଇରାଣ କରିବା ନବୀନ ବାବୁଙ୍କ ପାଇଁ ଠିକ୍‌ ନୁହେଁ। ଅଭିଶାପ ପଡିଯିବ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।

You might also like