ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ବିଧାନସଭା ଘେରାଉ ଉଦ୍ୟମ; ଶତାଧିକ କର୍ମୀ ଅଟକ

ଭୁବନେଶ୍ୱର: ମହାଙ୍ଗା ଡବଲ ମର୍ଡରକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ଆରମ୍ଭ କରିଛି ସଦଭାବନା ଯାତ୍ରା । ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ବିଧାନସଭା ଅଭିମୁଖେ ସଦଭାବନା ଯାତ୍ରା କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ ଉଦ୍ୟମ କରିଛି ବିଜେପି। ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ପଦଯାତ୍ରାରେ ଯାଇଥିବାବେଳେ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ।
ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ରାଲିରେ ବିଜେପିର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ସାମିଲ ହୋଇଛନ୍ତି । ମାମଲାର ନିରପେକ୍ଷ ତଦନ୍ତ, ମନ୍ତ୍ରୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏହି ସଦ୍‌ଭାବନା ଶୋଭାଯାତ୍ରା କରୁଛି ବିଜେପି । ଗତ ୧୭ ତାରିଖ ଦିନ ମାହାଙ୍ଗାରୁ ବାହାରିଥିଲା ଏହି ଯାତ୍ରା ।

ଅନ୍ୟପକ୍ଷେ ଏହି ମାମଲାକୁ ନେଇ ଆଜି ବିଧାନସଭା ବି ପଡୁଛି ଉଠୁଛି।  ଶୂନ୍ୟକାଳରେ ରାଜ୍ୟର ବିପଯର୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ ଉଠାଇ କହିଥିଲେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଏବଂ ବିରୋଧୀଙ୍କ ଆଉ ଗୋଟିଏ ?  ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଥିଲେ ସୁଦ୍ଧା ସରକାର ତାଙ୍କୁ ଗିରଫ କରୁନାହାନ୍ତି । ରାବଣ ଓ କଂସ ଭଳି ଶାସନର ବି ଅବସାନ ହୋଇଥିଲା । ତେଣୁ ଏ ସରକାର ସେ କଥା ଭୁଲିଯିବା କଥା ନୁହେଁ ବୋଲି କହିଥିଲେ ବିରୋଧୀ ଦଳ ନେତା।

ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ଉଠାନଯାଉ । ୨୨ ଥର ଜେଲ ଯାଇଥିବା ଶାରଦା ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପାଲଟା ଅଭିଯୋଗ କରିବା ସହ ତାଙ୍କ ଗିରଫ ଦାବି କରିଛନ୍ତି ଶାସକ ଦଳ ବିଧାୟକ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସୂଚନାଥାଉ କି, ମାହାଙ୍ଗର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଗତ ଜାନୁଆରୀ ୨ ତାରିଖରେ ହତ୍ୟା କରାଯାଇଥିଲା ।

You might also like