ମହାନଦୀ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ପାଇଁ ବିଧିବଦ୍ଧ ପ୍ରକ୍ରିୟା

ଦିଲ୍ଲୀରେ ଖୋଲିଲା ଅଫିସ୍

ଭୁବନେଶ୍ୱର: ମହାନଦୀ ବିବାଦର ଶୁଣାଣି ପାଇଁ ଦିଲ୍ଲୀରେ ଖୋଲିଛି ଟ୍ରିବ୍ୟୁନାଲ୍ ଅଫିସ୍। କନଟ୍ ପ୍ଲେସର ଜନପଥ ଭବନର ଫିଫ୍‌ଥ ଫ୍ଲୋରରେ ଏହି ଅଫିସ୍ ଖୁବ୍‌ ଶୀଘ୍ର କାର୍ଯ୍ୟ କରିବ। ସେପଟେ ଟ୍ରିବ୍ୟୁନାଲ୍ ଗଠନ ଏବଂ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହେବାର ପ୍ରାୟ ୪ ମାସ ପୁରିବାକୁ ଯାଉଥିବା ବେଳେ ଏବେ ଶୁଣାଣି ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଦୁଇ ଜଣ ପ୍ରତିନିଧିଙ୍କ ନାଁ ପଠାଇ ସାରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ଜଳସଂପଦ ସଚିବ ପ୍ରଦୀପ ଜେନା ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ କରିବେ।

ତେବେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ସେମାନଙ୍କ ପ୍ରତିନିଧି ତାଲିକା ଏଯାଏଁ ଦାଖଲ କରିନଥିବା ଜଣାପଡ଼ିଛି। ଏପଟେ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ନୋଟିସ୍ ଦେବେ ଟ୍ରିବ୍ୟୁନାଲ୍। ନୋଟିସ୍ ପାଇବା ପରେ ଆଡଭୋକେଟ୍ ଅନ୍ ରେକର୍ଡ ଓ ଅନ୍ୟ ଆଡଭୋକେଟ୍ ରାଜ୍ୟ ନିଯୁକ୍ତି କରିବ। ଓଡିଶାର ଆପତ୍ତି ଅନୁସାରେ ଛତିଶଗଡ଼ ଠାରୁ ଜବାବ ମାଗିବେ ଟ୍ରିବ୍ୟୁନାଲ୍। ଟ୍ରିବ୍ୟୁନାଲ୍ ସଦସ୍ୟ  ସ୍ପଟ ଭିଜିଟ୍ କରି ସ୍ଥିତି ଅନୁଧ୍ୟାନ କରିବା ପରେ ଶୁଣାଣି ଆରମ୍ଭ ହେବ। ଏଥିପାଇଁ ବଳିଷ୍ଠ ତଥ୍ୟ ଯୋଗାଡ କରି ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବାକୁ କସରତ ଚଳାଇଛି ରାଜ୍ୟ।

ସେପଟେ ଟ୍ରିବ୍ୟୁନାଲ୍‌ର ଟର୍ମ ଅପ୍ ରେଫେରାନସ୍ , କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଅଧ୍ୟକ୍ଷଙ୍କୁ ଦେଇସାରିଛନ୍ତି। ତେବେ ରାଜ୍ୟକୁ ଏପର୍ଯ୍ୟନ୍ତ ମିଳିନି ଏହି ଟିଓଆର୍। କେନ୍ଦ୍ର ସରକାର ରାଜ୍ୟକୁ ଟିଓଆର୍ ଦେବାରେ ବିଳମ୍ବ କରୁଥିବାରୁ ଆପତ୍ତି ଉଠାଇଛି ବିଜେଡି। ଟିଓଆର ଦେବାରେ ବିଳମ୍ବ ହେଲେ ନ୍ୟାୟ ମିଳିବାରେ ମଧ୍ୟ ବିଳମ୍ବ ହେବ ବୋଲି ଦଳ କହିଛି। ସେପଟେ ଟିଓଆର୍ ବିଳମ୍ବକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏହାର ଜବାବ ରଖି ବିଜେପି କହିଛି କାମ ପାଇଁ ଯେତିକି ସମୟ ଲାଗିବା କଥା ଲାଗୁଛି। ଏହାର ଅଯଥା ରାଜନୀତି କରିବା ଆବଶ୍ୟକ ନାହିଁ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିଛି। ଏବେ ନଜର ଟ୍ରିବ୍ୟୁନାଲ୍‌ରେ ଏସବୁ ତଥ୍ୟକୁ ଓଡ଼ିଶା କେତେ ତଥ୍ୟପ୍ରମାଣ ସହ ଉପସ୍ଥାପନ କରିପାରୁଛି ତା ଉପରେ ନଜର।

 

You might also like