ଛତିଶଗଡ଼ରେ କ୍ଷମତା ପରିବର୍ତ୍ତନ ପରେ ଚର୍ଚ୍ଚା , କଣ ହେବ ମହାନଦୀ ଜଳ ବିବାଦର ଭବିଷ୍ୟତ?

ଭୁବନେଶ୍ୱର : ଛତିଶଗଡ଼ରେ ଗଡ଼ିଲା ରମଣ ସିଂ ସରକାର ଶାସନ। ଗାଦି ସମ୍ଭାଳିବାକୁ ଯାଉଛି କଂଗ୍ରେସ। ଏଭଳି ସ୍ଥିତିରେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ, ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? ଓଡ଼ିଶାର ଦାବିକୁ ଅଣଦେଖା କରିଥିବା ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟରେ ଆସିବ କି ପରିବର୍ତ୍ତନ ?

କାରଣ ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ମାମଲା ଏବେ  ଟ୍ରିବୁନାଲ୍‌ର ବିଚାରାଧୀନ ରହିଛି। ହେଲେ ଦୁଇ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏ ବିବାଦ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ସମ୍ଭବ ବୋଲି ଛତିଶଗଡ଼ର କଂଗ୍ରେସର ଅନେକ ବିଧାୟକ ଆଶା ପ୍ରକାଶ କରିଛନ୍ତି। ଏମିତିକି ମହାନଦୀ ପାଣି ଶିଳ୍ପ ପାଇଁ ନୁହେଁ ଚାଷୀଙ୍କୁ ପହଞ୍ଚାଇବା ଉପରେ ତାଙ୍କ ସରକାରର ପ୍ରାଥମିକତା ବୋଲି କହିଛନ୍ତି।

ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ଦୀର୍ଘ ଦିନ ଧରି ତୁ ତୁ ମେଁ ମେଁ ଲାଗି ରହିଛି। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ମହାନଦୀ ଉପରମୁଣ୍ଡରେ ବେଆଇନ୍ ଭାବେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ମହାନଦୀକୁ ଶୁଖାଇ ଦେଇଥିବା ଅଭିଯୋଗ କରି ଆସିଛି ବିଜେଡି।

ଏ ପ୍ରସଙ୍ଗରେ ସବୁବେଳେ ବିଜେପି-ବିଜେଡିକୁ ଦୋଷ ଦେଇ ଆସୁଥିବା ବେଳେ ଏବେ ପ୍ରଶ୍ନ ଓଡ଼ିଶା କଂଗ୍ରେସ ଛତିଶଗଡ଼ରେ କ୍ଷମତା ଦଖଲ କରିଥିବା ନିଜ ଦଳର ନେତାଙ୍କୁ କେମିତି ମନେଇ ସମାଧାନର ବାଟ ବାହାର କରୁଛି। ବିଜେପି ଏବେ ଏହି ପ୍ରସଙ୍ଗରେ କଂଗ୍ରେସ କୋର୍ଟକୁ ବଲ୍ ଫିଙ୍ଗିଥିବାବେଳେ ,ବିଜେଡି କହିଛି ଆମ ଦାବିରେ ଆମେ ଅଟଳ

ମହାନଦୀ ଜଳ ବିବାଦ ଏବେ ଟ୍ରିବ୍ୟୁନାଲର ବିଚାରାଧୀନ ରହିଛି। ଟ୍ରିବ୍ୟୁନାଲ୍ ସବୁ ପକ୍ଷଙ୍କ ଜବାବ ପାଇବା ପରେ ଶୁଣାଣି ଆରମ୍ଭ କରିବେ। ତେବେ ଛତିଶଗଡ଼ରେ ରାଜନୈତିକ ସ୍ଥିତି ବଦଳିବା ପରେ ସମାଧାନର ବାଟ ବୁଝାବଣା ହେବ ନା ଟ୍ରିବ୍ୟୁନାଲରେ ଲଢ଼େଇ ଚାଲିବ, ତା ଦେଖିବାର କଥା।

You might also like