ମହାନଦୀ ଜଳ ବିବାଦ : ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ବୟାନ ପରେ ହରଡ଼ଘଣାରେ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼ର ନୂଆ କୃଷି ଓ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କ ରୋକଠୋକ୍ ମନ୍ତବ୍ୟ। କହିଛନ୍ତି, ମହାନଦୀ ଉପରେ ରହିଛି ତାଙ୍କ ରାଜ୍ୟର ପୂର୍ଣ୍ଣ ଅଧିକାର। ଉତ୍ପତ୍ତି ସ୍ଥଳରୁ ଶେଷ ଯାଏଁ, ମହାନଦୀ କେବଳ ଛତିଶଗଡ଼ର। ତେଣୁ ରବୀନ୍ଦ୍ରଙ୍କ ଏଭଳି ଯୁକ୍ତି ପରେ ଏବେ ଓଡ଼ିଶାରେ ମହାନଦୀର ଭାଗ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ସନ୍ଧୀହାନମୂଳକ ସ୍ଥିତି।

ସରକାର ବଦଳିଲେ ଓଡ଼ିଶାରେ ମହାନଦୀ ପୁଣି ଚିରସ୍ରୋତା ହେବା ନେଇ ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାକୁ ନେଇ ଉପୁଜିଲାଣି ଆଶଙ୍କା। ମାମଲା ଟ୍ରିବ୍ୟୁନାଲରେ ପହଞ୍ଚିଥିବାରୁ ସରକାର ମଧ୍ୟ ତାଙ୍କ ପକ୍ଷ ରଖିବେ ବୋଲି କହିଛନ୍ତି ଛତିଶଗଡ଼ର ଜଳସମ୍ପଦ ମନ୍ତ୍ରୀ

ନିକଟରେ ରମଣ ସିଂ ସରକାରର ପତନ ଘଟାଇ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ନେଇ ଅଧିକ ଆଶାବାଦୀ ହୋଇପଡିଥିଲା ଓଡ଼ିଶା କଂଗ୍ରେସ।

ତେବେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ବୟାନ ପରେ ଆଉ ଏହା ସମ୍ଭବ କି ବୋଲି ପ୍ରଶ୍ନର ଉତ୍ତରରେ ପିସିସି ସଭାପତି କହିଛନ୍ତି, ସେ ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।

ବୈଷୟିକ ସ୍ତରରେ ଏହାର ସମାଧାନ ନେଇ ସେ ଏବେ ବି ଆଶାବାଦୀ। ତେଣେ ବିଜେଡି କହିଛି, କଂଗ୍ରେସ ଓ ବିଜେପିର ଆଭିମୁଖ୍ୟ ସମାନ। ତେଣୁ ମହାନଦୀ ପାଇଁ ଟ୍ରିବୁନାଲରେ ଲଢ଼େଇ ଜାରି ରହିବ। ବିଜେପିର ସେହି ପୁରୁଣା ଡାଏଲଗ, ମହାନଦୀର ବୁନ୍ଦାଏ ପାଣି ପାଇଁ ସାଲିସ୍ କରାଯିବନି।

ଗତ ୧୫ ତାରିଖରେ ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦ ମାମଲାର ଶୁଣାଣି ହୋଇଥିଲା। ୨ସପ୍ତାହ ଭିତରେ ଓଡ଼ିଶାକୁ ସତ୍ୟପାଠ ଜରିଆରେ ୨୦ ବର୍ଷର ଜଳପ୍ରବାହ ନେଇ ବିସ୍ତୃତ ତଥ୍ୟ ମାଗିଛନ୍ତି। ଟ୍ରିବ୍ୟୁନାଲ ଓଡ଼ିଶାର ସତ୍ୟପାଠ ଦାଖଲ ପରେ ପ୍ରତି ଜବାବ ଦାଖଲ କରିବ ଛତିଶଗ଼ଡ଼।

You might also like