• translate
Rajalaxmi Sahoo

ଝାରସୁଗୁଡ଼ା: ଯୁଗ ଆସି କେଉଁଠି ପହଞ୍ଚିଲାଣି, ହେଲେ ଆଜି ବି ଏମିତି ଅନେକ ପରିବାର କନ୍ୟା ସନ୍ତାନ ପାଇଁ କୁଣ୍ଠିତ ପ୍ରକାଶ କରୁଛନ୍ତି। ହେଲେ ରକ୍ତ ସମ୍ପର୍କ ନଥାଇ ବି, ମନର ସମ୍ପର୍କ ଓ ମମତାର ସମ୍ପର୍କ କେତେ ଯେ ନିବିଡ଼ ହୋଇପାରେ, ତାହା ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର କାଲୋ ଦମ୍ପତି। ୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ଜଣେ ଝିଅକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଆଉ ଗତକାଲି ଏହି ଜଳକନ୍ୟାର ଧୁମ୍‌ଧାମ୍‌ରେ ବିବାହ ସମ୍ପନ୍ନ ହୋଇଛି।

ଛତିଶଗଡ଼ ସାରଙ୍ଗଗଡ଼ ଜେବ୍ରାର ଦ୍ରୋପତୀ ଯାଦବ ଓରଫ୍ ସୋନିଙ୍କୁ ୫ ବର୍ଷ ତଳେ ମହାନଦୀରୁ ପାଇ ଲାଳନପାଳନ କରି ବଡ଼ କରିଛନ୍ତି କାଲୋ ଦମ୍ପତି। ସେମାନେ ସୋନିଙ୍କୁ କେବଳ ପୁନର୍ଜନ୍ମ ଦେଇ ନାହାନ୍ତି, ବରଂ ବାପା ମାଆର ପରିଚୟ ଦେବାସହ ତାଙ୍କୁ ପାଠ ପଢ଼ାଇଛନ୍ତି, ସିଲେଇ ଶିଖାଇ ନିଜ ଗୋଡ଼ରେ ନିଜେ ଠିଆ ହେବାର ସାହସ ମଧ୍ୟ ଦେଇଛନ୍ତି। ଆଉ ଏବେ ବେଶ୍‌ ଧୁମ୍‌ଧାମ୍‌ରେ ଝିଅର ବାହାଘର ସମ୍ପନ୍ନ କରିଛନ୍ତି ଏହି କାଲୋ ଦମ୍ପତି। ଦୀର୍ଘ ୫ ବର୍ଷ ପରେ ପୁଣି ସୋନିଙ୍କ ଜୀବନରେ ପୁଣି ଏକ ନୂଆ ମୋଡ଼ ନେଇଛି। ତାଙ୍କ ଜୀବନରେ ବି ଏଭଳି ଏକ ମୁହୂର୍ତ୍ତ ଏତେ ଖୁସି ନେଇ ଆସିବ, ତାହା ହୁଏତ ସେ ଭାବି ନଥିଲେ। କାରଣ ସୋନିଙ୍କ ନିଜ ଘର  ଝାରସୁଗୁଡ଼ା ଲଖନପୁରର କୁଶମେଲ ନୁହେଁ, କି ସନ୍ୟାସୀ କାଲୋ ଓ ଅହଲ୍ୟା ତାଙ୍କ ନିଜ ବାପା ମାଆ ନୁହଁନ୍ତି। ସୋନି ସେମାନଙ୍କ ପାଳିତା କନ୍ୟା। ଛତିଶଗଡ଼ ସାରଙ୍ଗଗଡ଼ ଜେବ୍ରାର ଦ୍ରୋପତୀ ଯାଦବ ଓରଫ୍ ସୋନିଙ୍କୁ ୫ବର୍ଷ ତଳେ ମହାନଦୀରୁ ପାଇ ଲାଲନପାଳନ କରି ବଡ଼ କରିଛନ୍ତି କାଲୋ ଦମ୍ପତି।

ଆଉ ଏବେ ଧୁମ୍‌ଧାମ୍‌ରେ ଝିଅର ବାହାଘର ସରିବା ପରେ, ସେମାନଙ୍କର ଖୁସି କହିଲେ ବି ନସରେ। ଛତିଶଗଡ଼ ଧରମଜୟଗଡ଼ର ପୁରୁଷୋତ୍ତମ ଯାଦବଙ୍କ ସହ ସୋନିଙ୍କ ବିବାହ ହୋଇଥିବା ବେଳେ ବିବାହର ସମସ୍ତ ଖର୍ଚ୍ଚ ବହନ କରିବା ସହ କନ୍ୟାଦାନ କରିଥିଲେ ବିଧାୟକ କିଶୋର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ।

https://youtu.be/ODeZwcjxhjE

୨୦୧୬ ସେପ୍ଟେମ୍ବର ୧୪ରେ ଉଛୁଳା ମହାନଦୀର ପ୍ରଖର ସୁଅ ଶାଖା ନଦୀ କେଲୋର ସଂଗମସ୍ଥଳକୁ ସାଥୀ ମତ୍ସ୍ୟଜୀବୀଙ୍କ ସହ ମାଛ ମାରିବାକୁ ଯାଇଥିଲେ ସନ୍ୟାସୀ କାଲୋ। ସେ ଜାଣିନଥିଲେ ମାଛ ଆଶାରେ ଆସି, ତାଙ୍କୁ ମିଳିଯିବ ସୋନି ଭଳି କନ୍ୟାରତ୍ନଟିଏ। ସେଦିନ ନଦୀରେ ଭାସି ଯାଉଥିବା ସୋନିଙ୍କୁ ଉଦ୍ଧାର କରିଥିଲେ ସନ୍ୟାସୀ। ହୋସ୍ ଆସିବା ପରେ ଜଣାପଡ଼ିଥିଲା, ୧୬ ବର୍ଷୀୟା ସୋନିଙ୍କର ମାଆ ନାହାନ୍ତି। ବାପା ମାନସିକ ଭାରସାମ୍ୟ ହରାଇ କୁଆଡ଼େ ଚାଲି ଯାଇଛନ୍ତି। ଅଜା ଓ ମାଉସୀ ଘରେ ବଢ଼ିଥିବା ସୋନି ସାରଙ୍ଗଗଡ଼ରେ ଜଣଙ୍କ ଘରେ କାମ କରୁଥିବା ବେଳେ, ଚନ୍ଦ୍ରହାସିନୀ ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ମହାନଦୀରେ ତାଙ୍କ ଗୋଡ଼ ଖସି ଯିବା ଫଳରେ ସେ ପାଣିରେ ଭାସି ଯାଇଥିଲେ। ନଦୀରେ ୫୦ କିଲୋମିଟର ପର୍ଯ୍ୟନ୍ତ ଭାସି ଆସିଥିଲେ। ଏହାପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଯାଇଥିଲା। ଯାହାକି ଚମତ୍କାରଠୁ କିଛି କମ୍ ନଥିଲା। ସୋନି ଘରକୁ ନଫେରି କାଲୋ ଦମ୍ପତିଙ୍କ ପାଖରେ ରହିବାକୁ ଚାହିଁବାରୁ, ଏହାକୁ ଭଗବାନଙ୍କ ଆଶୀର୍ବାଦ ଭାବି ଆଇନତଃ ସୋନିକୁ ପୋଷ୍ୟ ଝିଅ ଭାବେ ଗ୍ରହଣ କରିଥିଲେ କାଲୋ ଦମ୍ପତି। ଆଉ ଏବେ ଝିଅକୁ ୨୧ ବର୍ଷ ଚାଲିବା ପରେ ତାର ଧୁମ୍‌ଧାମ୍‌ରେ ବିବାହ ସମ୍ପନ୍ନ କରିଛନ୍ତି କାଲୋ ଦମ୍ପତି।

Other Stories