ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଧାରିତ ସମୟର ପାଖାପାଖି ୨୫ ମିନିଟ୍‌ ପୂର୍ବରୁ ମନ୍ଦିରର ଅଁଳା ବେଢାକୁ ଦୀପ ଉଠିଛି। ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ଗର୍ଭ ଗୃହରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପ୍ତ ହେବା ପରେ ବେଢା ପରିକ୍ରମା କରିଥିଲେ ମହାପ୍ରଭୁ। ଏହାପରେ ହରିବୋଲ ଓ ହୁଳହୁଳି ଶଦ୍ଦରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିବେଶ। ଏହାପରେ ସେବାୟତମାନେ ମନ୍ଦିର ଉପରକୁ ଦୀପ ଉଠାଇଛନ୍ତି।

କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ ଭଳି ଏଥର ସେତେଟା ଗହଳି ଚହଳି ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ମଧ୍ୟରେ ପାଳନ କରୁଛନ୍ତି ଶିବରାତ୍ରି। ସାମାଜିକ ଦୂରତା ରକ୍ଷା କରି ଜାଳିଛନ୍ତି ଜାଗର ଦୀପ ଆଉ ଅପେକ୍ଷା କରିଥିଲେ କେତେବେଳେ ଦୀପ ଉଠିବ? ଆଉ ମନ୍ଦିରକୁ ଦୀପ ଉଠିବା ବେଳର ଦୃଶ୍ୟକୁ ବେଶ ଭକ୍ତିର ସହ ଦେଖିଥିଲେ ଶ୍ରଦ୍ଧାଳୁ।

କରୋନା କଟକଣା ଯୋଗୁଁ ରାଜ୍ୟର ଅଧିକାଂଶ ଶିବାଳୟରେ ଭକ୍ତଙ୍କ ବିଶେଷ ଗହଳି ଚହଳି ନାହିଁ। କଟକ ଜିଲ୍ଲାର ବାବା ଧବଳେଶ୍ୱର ପୀଠରେ ବି ଭକ୍ତଙ୍କ ଗହଳି ଦେଖାଯାଉନାହିଁ। ଆସନ୍ତାକାଲି ସକାଳ ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଥିବାରୁ ଝୁଲାପୋଲ କି ମନ୍ଦିର ବେଢ଼ାରେ ଏଥର ଗହଳି ଚହଳି ଦେଖିବାକୁ ମିଳିନାହିଁ।

ସେପଟେ ପୁରୀରେ ବି କଡ଼ା କଟକଣା ଭିତରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁା ଏଠି ଭୋର୍ ୪ଟାରେ ଉଠିବ ମହାଦୀପ ବୋଲି ଜଣାଯାଇଛି। ଢେଙ୍କାନାଳର କପିଳାସ ପୀଠ, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ବଲାଙ୍ଗିର ଜିଲ୍ଲାର ହରିଶଙ୍କର ଆଦି ଶିବାଳୟଗୁଡ଼ିକରେ କଟକଣା ମଧ୍ୟରେ ପାଳନ ହେଉଛି ହେଉଛି ଶିବରାତ୍ରି।

Other Stories