ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ହିସାବ ମେଳ ଖାଉନଥିବାରୁ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ରାୟଗଡ଼ା : ଭତ୍ତାକୁ ନେଇ ଦ୍ୱନ୍ଦ୍ୱ। ଟାର୍ଗେଟ୍‌ରୁ ଦେଢଲକ୍ଷ ଅଧିକ ଲୋକଙ୍କୁ ଏଥର ଭତ୍ତା ଦେବା ପାଇଁ ଚିହ୍ନଟ କରିଛନ୍ତି ସରକାର। ଗୋଟିଏ ବର୍ଷରେ ଏତେ ସଂଖ୍ୟାରେ ନିରାଶ୍ରୟ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବାର ବାହାବାକୁ ବି ପ୍ରଭାବୀ ଢଙ୍ଗରେ ପ୍ରଚାର କରୁଛନ୍ତି। ହେଲେ ଏହାର ବାସ୍ତବିକ୍‌ ଚିତ୍ର କିଛି ଅଲଗା ସୂଚାଉଛି ।

ସୁବର୍ଣ୍ଣପୁର କର୍ଣ୍ଣପାଲି ଗାଁର ଅନ୍ନପୂର୍ଣ୍ଣା। ବୟସ ୭୫ ଟପିଲାଣି। ଦେହରେ ବଳ ନାହଁ , ହାତ ଥରିଲାଣି। ହେଲେ ସରକାର ବାଛୁଥିବା ନିରାଶ୍ରୟଙ୍କ ତାଲିକାରେ କିନ୍ତୁ ସ୍ଥାନ ପାଉନାହାଁନ୍ତି। ଅନ୍ନପୂର୍ଣ୍ଣା ସରକାରୀ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ଗୁହାରି କରି କରି ବି ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା।

ରାୟଗଡ଼ା ମୁନିସିପାଲିଟି ଝୋଡିଆସାହିର ବୃଦ୍ଧ ରେଲିପାଣି। ବୟସ ୬୮। ଜରି ଗୋଟାଇ ପେଟପୋଷନ୍ତି ରେଲି। ତାଙ୍କୁ ବି ଏପର୍ଯ୍ୟନ୍ତ ମିଳିନି ବାର୍ଦ୍ଧକ୍ୟ ଭତ୍ତା। ସୁନ୍ଦରଗଡ଼ ବାଇଗଣବୁଡର ବୃଦ୍ଧା ବାସମତୀ ମିଞ୍ଜ। ବୋହୁ ସୁଶାନ୍ତି ମିଞ୍ଜ ବି ବିଧବା। ହେଲେ ଦୁହିଁଙ୍କ ପାଇଁ ସତେ ଯେମିତି ଅପହଞ୍ଚ ସରକାରଙ୍କ ସାମାଜିକ ସୁରକ୍ଷାର ପ୍ରତିଶ୍ରୁତି। ଦରଖାସ୍ତ ଦେଇ ଦେଇ ନୟାନ୍ତ ହେଲେଣି। ହେଲେ ଭତ୍ତା ଦେବାର ବ୍ୟବସ୍ଥା କରିପାରୁନି ପ୍ରଶାସନ।

ନିରାଶ୍ରୟ ଯଦି ଭତ୍ତା ପାଉନାହାଁନ୍ତି। ତେବେ ପ୍ରଶ୍ନ ଉଠୁଛି ସରକାର ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦେଉଛନ୍ତି କାହାକୁ? ବଡ଼କଥା ହେଉଛି ଏ ବର୍ଷ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ଦେବାକୁ ବାଛିଛନ୍ତି ସରକାର। କିନ୍ତୁ ବର୍ଷ ଆରମ୍ଭରୁ ଖୋଦ ମନ୍ତ୍ରୀ ନିଜ ବିଭାଗର ସମୀକ୍ଷା ବେଳେ କହିଥିଲେ ଏବର୍ଷ ୩ ଲକ୍ଷ ୪୮ ହଜାର ୪୮୪ ଲୋକଙ୍କ ନୂଆ କରି ଭତ୍ତା ଦେବାକୁ ଟାର୍ଗେଟ ରଖାଯାଇଛି।

ବିଡ଼ମ୍ବନା ହେଉଛି ଏତେ ନିରାଶ୍ରୟଙ୍କୁ ବାଛିବା ବେଳେ କନ୍ଧମାଳରେ କିନ୍ତୁ ଜଣେ ବି ନୂଆ ନିରାଶ୍ରୟ ଲୋକ ସରକାରଙ୍କୁ ମିଳିଲେ ନାହିଁ। ମେ ୧୮ ତାରିଖରେ ଏ ନୂଆ ହିତାଧିକାରୀଙ୍କୁ ଭତ୍ତା ଦେବାକୁ ସବୁ ଜିଲ୍ଲାପାଳଙ୍କୁ ବି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଡିସେମ୍ବର ୪ରେ ସଂଖ୍ୟା ୫ ଲକ୍ଷ ଛୁଇଁଗଲା।

ଭତ୍ତାର ଏ ସଂଖ୍ୟାକୁ ଦେଖି ବିରୋଧୀ ଅଭିଯୋଗ କରିଛନ୍ତି। କାଗଜ କଲମରେ ଭତ୍ତା ଦେଇ ଟଙ୍କା ହରିଲୁଟ କରୁଛନ୍ତି ବିଜେଡିର ଦଳୀୟ କର୍ମୀ।

ମଧୁବାବୁ ପେନ୍‌ସନ ଯୋଜନାରେ ୬୦ରୁ ଅଧିକ ବୟସର ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହ ବିଧବା ଓ ଭିନ୍ନକ୍ଷମ ଭତ୍ତା ବି ଦେଉଛନ୍ତି ସରକାର। ଏମାନଙ୍କ  ସଂଖ୍ୟା ଗତ ବର୍ଷ ୨ ଲକ୍ଷ ୧୩ ହଜାର ୭୦୪ ଥିଲ॥ ତେବେ ଏ ବର୍ଷ ସରକାର  ୫ ଲକ୍ଷ ଅଧିକ ଲୋକଙ୍କୁ ସାମିଲ କରିଥିବା ଦାବି କରୁଛନ୍ତି।

You might also like