ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଘଟଗାଁ ମା ତାରିଣୀ ପୀଠ
କେନ୍ଦୁଝର(ପ୍ରଣୟ ପାଣି): କୋଭିଡ୍ କଟକଣା ଭିତରେ ଆଜିଠୁ ଭକ୍ତଙ୍କ ପାଇଁ ଘଟଗାଁ ମା ତାରିଣୀଙ୍କ ପୀଠ ଖୋଲିଛି। ଦୀର୍ଘ ୧୦ ମାସ ପରେ ମନ୍ଦିର ଖୋଲୁ ଥିବାରୁ ପ୍ରଥମେ ପୂଜକଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ଏହାପରେ ସକାଳ ୮ଟାରୁ ମା’ଙ୍କ ଦର୍ଶନ କରୁଛନ୍ତି ଭକ୍ତ।
ମନ୍ଦିରରେ କିନ୍ତୁ ଭୋଗ କରି ପାରିବେନି ଭକ୍ତ। ସେହିପରି ବେଢ଼ା ଭିତରେ ଏକ ସମୟରେ କେବଳ ୨୫ରୁ ୩୦ ଭକ୍ତଙ୍କୁ ରହିବାର ସୁଯୋଗ ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି।
ଜାଣନ୍ତୁ କ’ଣ ରହିଛି ଗାଇଡ୍ଲାଇନ୍….
- ସରକାରଙ୍କ COVID19 ନିୟମ ଅନୁଯାୟୀ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ।
- ସାଧାରଣ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିବ।
- ମନ୍ଦିର ମଧ୍ୟରେ କୌଣସି ଭୋଗ ଅର୍ଥାତ୍ ପୁଷ୍ପ, ନଡ଼ିଆ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏଥିସହ କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ।
- ମନ୍ଦିର ଭିତରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ।
- ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ।
- ମା’ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ।
ଅନ୍ୟପକ୍ଷରେ, ଆସନ୍ତା ଜାନୁଆରୀ ୨୧ ତାରିଖରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି। ସମୀକ୍ଷା ବୈଠକ ପରେ ଏସଂପର୍କରେ କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ଏବେ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡ଼ୁଛି। ତେବେ ଜାନୁଆରୀ ୨୧ରୁ ଏହି କଟକଣା ହଟିବା ସହ ଆଗକୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ନୁହେଁ।