ବାରିପଦାରେ ଚାଲିଛି ମାଆ ଜଗଦ୍ଧାତ୍ରୀଙ୍କ ପୂଜା

ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳା ସହ ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ

ବାରିପଦା: ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ସହ ବାହୁବଳୀ ସିନେମାରେ ନଜର ଆସିଛି ମାହିଷ୍ମତୀ ତୋରଣ। ବାରିପଦା ସହରରେ ଚାଲିଥିବା ମାଆ ଜଗଦ୍ଧାତ୍ରୀଙ୍କ ପୂଜା ପାଇଁ ଭବ୍ୟ ମହଲ ସଦୃଶ ମଣ୍ଡପକୁ ଏହିଭଳି ଭାବରେ ସଜା ଯାଇଛି। ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି। ମାଆ ଦୁର୍ଗାଙ୍କ ଅନନ୍ୟ ଅବତାର ଭାବେ ଜଗଦ୍ଧାତ୍ରୀଙ୍କ ପୂଜା କରାଯାଉଛି। କାର୍ତ୍ତିକ ପଞ୍ଚୁକରୁ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା।

ମାଆ ଦୁର୍ଗାଙ୍କ ଶାନ୍ତ ରୂପ ହେଉଛନ୍ତି ଜଗଦ୍ଧାତ୍ରୀ। ଉଭୟ ଓଡ଼ିଆ ଏବଂ ବଙ୍ଗୀୟ ରୀତିନୀତିରେ ମାଆଙ୍କୁ ଏଠି ନିଆରା ଢଙ୍ଗରେ ପୂଜା କରାଯାଏ। ପ୍ରତିଦିନ ସକାଳ ଧୂପ ସହ ସଂଧ୍ୟାରେ ଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମୁଛି। ଦୀର୍ଘ ୬୫ ବର୍ଷ ଧରି ମାଆଙ୍କୁ ବାରିପଦାର ଏହି ଭଞ୍ଜପୁର ମେଳା ପଡ଼ିଆରେ ପୂଜାର୍ଚ୍ଚନା କରାଯାଉଛି।

ମାଆଙ୍କ ପୂଜାର୍ଚ୍ଚନା ସହ ଦୁଇ ସପ୍ତାହ ଧରି ମେଳା ଚାଲିବ। ଘରକରଣା ଜିନିଷ ସହ ଆସବାବପତ୍ରର ସମ୍ଭାର ଲୋକଙ୍କୁ ଆକୃଷ୍ଟ କରୁଛି। ଏହାସହ ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଲୋକେ ମଜା ଉଠାଉଛନ୍ତି।

(ବାରିପଦାରୁ ମାନିକଲାଲ୍ ପାଣିଙ୍କ ରିପୋର୍ଟ)

You might also like