ଏକାଠି ବାଟ ଚାଲିବା ପୂର୍ବରୁ ପ୍ରେମିକାକୁ ଛାଡ଼ି ଚାଲିଗଲେ ପ୍ରେମିକ
ଝାରସୁଗୁଡ଼ା(ଭାଗିରଥୀ ସାହୁ): ସାତ ଜନ୍ମର ସାଥୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ହାତ ଧରାଧରି ହୋଇ ଚାଲୁଥିଲେ। ହେଲେ କେମିତି କେଜାଣି ଝୁଣ୍ଟିପଡ଼ିଲେ ପ୍ରେମିକା। ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀ ବି ହୋଇ ପାରିଲେନି। ଏକାଠି ବାଟ ଚାଲିବା ପୂର୍ବରୁ ସବୁଦିନ ପାଇଁ ପ୍ରେମିକାକୁ ଏକା ଛାଡ଼ି ଚାଲିଗଲେ ପ୍ରେମିକ। ଶୋଇପଡ଼ିଲେ ଚିରନିଦ୍ରାରେ। ଆଉ ପ୍ରେମିକା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ଝାରସୁଗୁଡା ଜିଲ୍ଲା ମରାକୁଟା ନିକଟ ସାଲେଟିକିରା ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିବବେଳେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବତୀ ଜଣକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଲଖନପୁର ବ୍ଲକ୍ ଅନ୍ତର୍ଗତ ଉବୁଡା ଗାଁର ଜଣେ ଯୁବକ ସଦର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ମଙ୍ଗଳବାର ଠାରୁ ଉଭୟେ ଘର ଛାଡ଼ି ପଳାଇଥିଲେ। ତେବେ ଗତକାଲି ମରାକୁଟା ଗାଁ ନିକଟସ୍ଥ ସାଲେଟିକ୍ରା ଗାଁ ମୁଣ୍ଡରେ ଥିବା ଏକ ନିଛାଟିଆ ସ୍ଥାନରେ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
କେଉଁ କାରଣ ପାଇଁ ଉଭୟ ଯୁବକ, ଯୁବତୀ ଏଭଳି ନିଷ୍ପତ୍ତି ନେଲେ ତା’ର କାରଣ ଜଣାପଡ଼ି ନାହିଁ।ଘଟଣାସ୍ଥଳରେ ଝାରସୁଗୁଡା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।