ନାବାଳିକା କୋଳରେ ଶିଶୁପୁତ୍ର : ବିବାହର ପ୍ରତିଶ୍ରୁତି ଦେଇ ଧୋକାବାଜ ପ୍ରେମିକ ଫେରାର

ବାସୁଦେବପୁର(କିର୍ତ୍ତୀ ଦାସ): ପୁଣି ଲଭ୍-ସେକ୍ସ-ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ନାବାଳିକା ସହ ପ୍ରେମ କରି ପ୍ରତାରଣା। ପ୍ରେମିକ ଫେରାର ହୋଇଯାଇଥିବା ବେଳେ, ମା ହୋଇଥିବା ନାବାଳିକାଟି ଏବେ ସ୍ତ୍ରୀର ସ୍ୱୀକୃତି ମାଗୁଛି। ଆଉ କଅଁଳ ଶିଶୁଟି ବାପର ପରିଚୟ ପାଇଁ ଅନାଇ ରହିଛି । ପ୍ରେମିକ ପ୍ରତାରଣା କରିବା ପରେ ବାପଘରେ କୁନି ପୁଅକୁ ଧରି ପଡିରହିଛି ନାବାଳିକା। ତେବେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ ବି ଆଜିଯାଏ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନି କି ଫେରାର ପ୍ରେମିକର ପତ୍ତା ମିଳିନି। ଏପଟେ କଅଁଳ ଶିଶୁକୁ ଧରି ନ୍ୟାୟ ପାଇଁ ଗୁହାରୀ କରୁଛି ନାବାଳିକା ମା’।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଗାଁର ଜଣେ ନାବାଳିକାକୁ ସେହି ଗାଁର ଯୁବକ ଭଲ ପାଉଥିଲେ। ଭଲ ପାଇବାର ବାହାନା କରି ତଥା ବିବହାର କରିବାର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।  ତେବେ ଏସବୁ ଭିତରେ ନାବାଳିକା ଜଣକ ଅନ୍ତସତ୍ୱା ହେବାପରେ ଏସମ୍ପର୍କରେ କାହାକୁ ନକହିବାକୁ ପ୍ରେମିକ ବାରମ୍ବାର ତାଗିଦ କରୁଥିଲେ। ନାବାଳିକା ଗର୍ଭର ପିଲା ଯେତିକି ଯେତିକି ବଢ଼ୁଥିଲା ପ୍ରେମିକ ସେତିକି ସେତିକି ଦୂରେଇ ଯାଉଥିଲା।  ଫଳରେ ଅନ୍ୟ ଉପାୟ ନପାଇଁ  ନାବାଳିକା ଓ ତାଙ୍କ ପରିବାର ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ଏଥିମଧ୍ୟରେ ନାବାଳିକା ଜଣକ ମା ହୋଇ ଶିଶୁପୁତ୍ରକୁ ଜନ୍ମ ଦେଇଛି। ତେବେ  ପିଲା ଜନ୍ମ ହେବାପରେ ପ୍ରେମିକ ପ୍ରବର ଗାଁ ଛାଡି ଫେରାର ହୋଇଯାଇଛନ୍ତି।

ନାବାଳିକାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ। ଅନ୍ୟ ଜଣକ ଡଙ୍ଗାରେ ମାତ୍ସ୍ୟଜୀବୀ ଭାବେ ଖଟି ଯାହା ଦୁଇ ପଇସା ପାଆନ୍ତି, ସେଥିରେ ଅଭାବୀ ପରିବାର ଚଳେ। ନିଜର ସ୍ୱଳ୍ପ ରୋଜଗାରରେ ପରିବାର ବୋଝ ବୋହୁଥିବା ବାପା ଉପରେ ଆହୁରି ବୋଝ ବଢି ଯାଇଛି। ନାବାଳିକା ଝିଅର ପିଲା ଜନ୍ମ ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର। ନ୍ୟାୟ ମିଳିବା ପାଇଁ ବାରମ୍ବାର ଥାନାକୁ ଦୌଡିଲେ ବି ନିରାଶ ହେବାକୁ ପଡ଼ିଥିଲା।

ଅଭିଯୋଗ ପାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପ୍ରେମିକ ଖସିଯିବାରେ ସକ୍ଷମ ହୋଇଛି ବୋଲି ଅଭିଯୋଗ କରୁଛନ୍ତି ପରିବାର ଲୋକେ। ଥାନାରୁ ନ୍ୟାୟ ନପାଇ ନାବାଳିକାଙ୍କ ପରିବାର ଏସ୍‌ପିଙ୍କ ନିକଟରେ ଗୁହାରୀ କରିଛନ୍ତି। ମାତ୍ର  ୧୪ବର୍ଷ  ବୟସରେ କରିଥିବା ଭୁଲର ଅନୁତାପ କରୁଛି ନାବାଳିକା। ଏବେ ଆଖିରୁ ଲୁହ ଗଡାଇବା ବ୍ୟତୀତ ତା’ପାଖରେ କୌଣସି ରାସ୍ତା ନାହିଁ। ତେବେ ଏ ସମ୍ପର୍କରେ ପ୍ରାଥମିକ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରାଯାଇଛି, ବୋଲି କହିଛନ୍ତି ଭଦ୍ରକ ଏସ୍‌ଡିପିଓ । ଘଟଣାକୁ ଗୁରୁତର ସହ ନିଆଯାଇ ଫେରାର ପ୍ରେମିକକୁ ଖୋଜାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

You might also like