କୋଭିଡ୍ କଟକଣା ଭିତରେ ଏଥର ଭକ୍ତ ପାଳିବେ ଜାଗର

ଆସନ୍ତାକାଲି ଜାଗର

ଭୁବନେଶ୍ୱର: ଆସନ୍ତାକାଲି ଜାଗର ଅର୍ଥାତ୍ ମହାଶିବ ରାତ୍ରୀ। ଦେବ ଦେବ ମହାଦେବଙ୍କୁ ଉଜାଗର ରହି ଆରାଧନା କରିବେ ଭକ୍ତ। ଏଥିପାଇଁ ବିଭିନ୍ନ ଶୈବପୀଠରେ ହୋଇଛି ବ୍ୟାପକ ବ୍ୟବସ୍ଥା। ତେବେ କୋଭିଡ୍ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଓ ଲୋକନାଥଙ୍କ ପୀଠରେ କଟକଣା ଭିତରେ ଦର୍ଶନ ଓ ଦୀପ ଜାଳିବାକୁ ଅନୁମତି ମିଳିଛି। କିନ୍ତୁ ଗହଳି ଏଡ଼ାଇବାକୁ ଧବଳେଶ୍ୱର ଓ ଆଖଣ୍ଡଳମଣୀଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା।

ଉଠିବ ମହାଦୀପ, ଉଜାଗର ରହି ଦୀପ ଜାଳିବେ ଭକ୍ତ। ଆସନ୍ତାକାଲି ମହାଶିବରାତ୍ରି ପାଇଁ ଶୈବପୀଠଗୁଡ଼ିକରେ ଚାଲିଛି ଜୋରଦାର ପ୍ରସ୍ତୁତି। କୋଭିଡ୍ କଟକଣା ଭିତରେ ଜାଗର ଯାତ୍ରା ପାଳନ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଲାଣି ବ୍ୟାରିକେଡ୍। ମନ୍ଦିର ବେଢା ଭିତରେ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଦୀପ ଜାଳିବାକୁ ଅନୁମତି ଦେଇଛି ପ୍ରଶାସନ। ଭକ୍ତଙ୍କ ସଂଖ୍ୟା ବଢିଲେ ବେଢା ବାହାରେ ଦୀପ ଜାଳିପାରିବେ ଭକ୍ତ ବୋଲି ସୂଚନା ମଧ୍ୟ ମିଳିଛି। ଆସନ୍ତାକାଲି ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେପଟେ ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ଚିହ୍ନ ଦେବାକୁ ଯାଇ ଗାର ଟାଣିଛି ପ୍ରଶାସନ। ଏହାସହ ବ୍ୟାରିକେଡ୍ ବ୍ୟବସ୍ଥା ବି କରାଯାଇଛି। ଲୋକନାଥଙ୍କ ପୀଠରେ ଭୋର୍ ୪ଟାରେ ମହାଦୀପ ଉଠିବ ବୋଲି ଜଣାଯାଇଛି।

ସେପଟେ କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ କିନ୍ତୁ ଏବର୍ଷ ଜାଗର ଯାତ୍ରାରେ ଲାଗିବନି ଗହଳି ଚହଳି। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହେବେ। ମନ୍ଦିର ଭିତରେ ଧବଳେଶ୍ୱରଙ୍କ ନୀତିକାନ୍ତି କିନ୍ତୁ ସ୍ୱାଭାବିକ ଭାବେ କରାଯିବା ସହ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ। ଏଠାରେ ରାତି ଗୋଟାଏରେ ଉଠିବ ମହାଦୀପ।

ସେହିପରି ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ବି ଏଥର ବିନା ଭକ୍ତରେ ହେବ ଜାଗର ଯାତ୍ରା। ଗହଳି ଏଡ଼ାଇବାକୁ ଜାରି ହୋଇଛି ୧୪୪ ଧାରା। ଢେଙ୍କାନାଳର କପିଳାସ ପୀଠରେ ରାଜ୍ୟ ଓ ଜିଲ୍ଲା ବାହାର ଭକ୍ତଙ୍କୁ ବାରଣ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଜିଲ୍ଲା ଭିତରର ଭକ୍ତ ମନ୍ଦିର ଭିତରକୁ ଯାଇପାରିବେ, ଏଠାରେ ଭୋର ସାଢେ ୪ଟାରେ ମହାଦୀପ ଉଠିବ।

ସେପଟେ ଜାଗର ଯାତ୍ରା ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷର ସମାଧାନ କରିଛି ପ୍ରଶାସନ। ସେବାୟତଙ୍କ ସହ ବୈଠକ ପରେ ନୀତି ଶୃଙ୍ଖଳିତ ହୋଇଥିବା ବେଳେ ଏଥର ହାଣ୍ଡିଭଙ୍ଗା ଯାତ୍ରା ସୁରୁଖୁରୁରେ ହେବ ବୋଲି ଦେବୋତ୍ତର କମିଶନ ପ୍ରତିଶ୍ରୁତି ଦେଇଛନ୍ତି।

You might also like