ମହାପ୍ରଭୁଙ୍କ ନାଗାର୍ଜୁନ ବେଶ; ବାହାର ଲୋକଙ୍କୁ ପୁରୀ ଆସିବା ମନା
ପୁରୀ: ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ ଭକ୍ତ ଏ ଅପୂର୍ବ ରୂପ ଦର୍ଶନରୁ ବଞ୍ଚିତ ହେବେ। କାରଣ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ପ୍ରଶାସନ।
ଉପଜିଲ୍ଲାପାଳ ଭବତାରଣ ସାହୁ ଆଜି ନିବେଦନ କରି କହିଛନ୍ତି, ପୁରୀ ଲୋକ ପତିତପାବନ ଦର୍ଶନ କରିପାରିବେ। କିନ୍ତୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଶ୍ରୀମନ୍ଦିର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ନାଗାର୍ଜୁନ ବେଶ ଦିନ ଶ୍ରଦ୍ଧାଳୁମାନେ ମରିଚକୋଟ ଛକରୁ ପାଦରେ ଚାଲି କାକୁଡ଼ିଖାଇ ଛକ ଦେଇ ବାହାରିବେ।
ଉତ୍ତର ଓ ଦକ୍ଷିଣ ଦ୍ୱାରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ଜଗନ୍ନାଥ ବଲ୍ଲଭ ମଠରେ ଅବଢ଼ା ପ୍ରଦାନ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
ଅନ୍ୟପକ୍ଷେ ଦୀର୍ଘ ବର୍ଷ ପରେ ଏହି ବେଶ ପଡୁଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତ ଉତ୍ସୁକତାର ସହ ଅପେକ୍ଷ କରିଥିଲେ। ପ୍ରଶାସନର ଏପରି କଟକଣା ଯୋଗୁ ଭକ୍ତ ନିରାଶ ହୋଇଛନ୍ତି।