ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ; ଆସନ୍ତାକାଲିଠୁ ଶ୍ରୀମନ୍ଦିର ଖୋଲିବ

ପୁରୀ: ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲିଠୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ତିନି ଦିନ ସେବାୟତ ପରିବାରଙ୍କୁ ଏବଂ ଡିସେମ୍ବର ୩୧ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ।

ସମସ୍ତଙ୍କ ପାଇଁ ପରିଚୟପତ୍ର ସହ ଟୋକନ୍ ଜରୁରୀ ହୋଇଛି। ତାସହ ବ୍ୟାରିକେଡ୍‌ରେ କେବଳ ସିଂହଦ୍ୱାର ବାଟେ ହିଁ ସମସ୍ତ ଭକ୍ତଙ୍କ ପ୍ରବେଶ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ଜାନୁଆରୀ ୩ରୁ ଦର୍ଶନାକାଂକ୍ଷୀ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।

ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ଲାଗି ହେବା ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ। ତେଣେ ରାଜ୍ୟର ଅନେକ ମନ୍ଦିର ଏବେ ବି ଖୋଲିବା ନିଷ୍ପତ୍ତି ହୋଇନଥିବାରୁ ଅସନ୍ତୋଷ ବଢୁଛି।

ଅନ୍ୟପଟେ ଆସନ୍ତା ୩ ତାରିଖରେ ଜଗତସିଂହପୁର ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ମନ୍ଦିର ଓ ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲିି ଅନୁଷ୍ଠିତ ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।

ସମସ୍ତ ବିଷୟରେ ଅନୁଧ୍ୟାନ ପରେ କୋଭିଡ୍ ଗାଇଡ୍‌ଲାଇନ ଅନୁଯାୟୀ, ଜାନୁୟାରୀ ୩ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୫ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ବାରଣ କରାଯାଇଥିବା ଜିଲ୍ଳାପାଳ କହିଛନ୍ତି।

ଆହୁରି ପଢନ୍ତୁ :

ଶେଷ ହେଲା ପ୍ରତୀକ୍ଷା: ୨୩ରୁ ଭକ୍ତଙ୍କୁ ଦର୍ଶନ ଦେବ ଜଗା

ସେହିପରି ସମ୍ଭାବ୍ୟ ଭିଡ଼କୁ ଦେଖି ଆସନ୍ତା ମକର ସଂକ୍ରାନ୍ତିରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଅନ୍ୟପକ୍ଷରେ ବାହାର ଜିଲ୍ଳାର ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟ। କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଏସବୁ ମନ୍ଦିର ବନ୍ଦ ରହିଥିଲା।

You might also like