ଅଡିଟ୍ ହେଉ ରତ୍ନ ଭଣ୍ଡାର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାଏକ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ହେଉ ଅଡିଟ୍ । ଏହି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି।  ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ୍ ସହ ୧୯୭୮ରେ ପ୍ରସ୍ତୁତ ତାଲିକା ଅନୁସାରେ ଅଳଙ୍କାର ମେଳ କରାଯାଉ ବୋଲି ବି ଦାବି କରିଛନ୍ତି।  ଏହା ସହ ସେ ସରକାରଙ୍କ 5T ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, 5Tରେ ଥିବା ଦୁଇଟି ଟି ଟ୍ରାନ୍ସପରେନ୍ସି ଓ ଟାଇମ୍‌କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ।  ଏହା ସହ ମାର୍ଚ୍ଚ ୨୨, ୨୦୧୮ ମସିହା ଚାବି ହଜିବା ପ୍ରସଙ୍ଗ ଉଠାଇ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ପ୍ରଶାସନ ଏହି ଘଟଣାକୁ ସ୍ୱୀକାର କରିଥିଲେ, ୬ ମାସ ପରେ ତଦନ୍ତ ରିପୋର୍ଟ ଆସିଲା, କିନ୍ତୁ ଫଳ ଶୂନ।

ସରକାର ଏହି ରିପୋର୍ଟକୁ ଚାପି ଦେଇଥିବା ଅଭିଯୋଗ ବି ଆଣିଛନ୍ତି। ଏହାସହ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ସମ୍ପତ୍ତିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।  ଶ୍ରୀମନ୍ଦିର ରତ୍ନଭଣ୍ଡାର ନ ଖୋଲିବାକୁ କହିବା ସହ ଖୋଲିଲେ ସବୁ ଖାଇଯିବେ ବୋଲି ସୁର ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ଚାବି ହଜାଇ ଥିଲା ପ୍ରଶାସନ, ପ୍ରଶାସନ ପାଖରେ କିଛି ଖବର ନାହିଁ  କେତେ ସୁନା ଅଛି  ରତ୍ନ ଭଣ୍ଡାରରେ । ବରଂ ବାହାରେ ଗଚ୍ଛିତ ଥିବା ସୁନା ଅଳଙ୍କାରର ଅଡିଟ୍ ହେଉ ବୋଲି ସେ କହିଛନ୍ତି।

ବିରୋଧୀ ଦଳ ନେତା ରତ୍ନ ଭଣ୍ଡାର ଅଡିଟ୍ ନେଇ ଚିଠି ଲେଖିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି ରାଜ୍ୟ ସରକାର ଚୁପ ବସି ନାହାନ୍ତି । ବର୍ତ୍ତମାନ ସୁଦ୍ଧା ଚିଠି ମିଳିନି, ମିଳିଲେ ତର୍ଜମା କରାଯିବ।  ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି।  ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

You might also like