୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ଭୁବନେଶ୍ୱର: ପ୍ରଥମେ ମଦର ହୋମ୍ ଡେଲିଭରି ନାଁରେ ଟଙ୍କା ହରଣଚାଲ୍ ପରେ ଏବେ ଅନ୍‌ଲାଇନ୍‌ରେ ଫୁଡ୍ ଅର୍ଡର୍ ନାଁରେ ଦୁର୍ବୃତ୍ତଙ୍କ ଲୁଟ୍। ସମାନ ଷ୍ଟାଇଲ୍, ସମାନ ଫଣ୍ଡା। ରାଜଧାନୀର ତ୍ରିନାଥ ମହାରଣା ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଫେସ୍‌ବୁକ୍‌ରେ ପ୍ରକାଶ ପାଇଥିବା ବିଜ୍ଞାପନର ଲିଙ୍କ ପାଇଥିଲେ ଜଣେ ବନ୍ଧୁଙ୍କ ଠାରୁ। ଯେଉଁଥିରେ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ଲେଖାଥିଲା।

ଏହାଦେଖି ଲିଙ୍କ୍ ଓପନ୍ କରି ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଲେ ତ୍ରିନାଥ। ଏହାପରେ ମେମ୍ବରସିପ୍ ବାବଦକୁ ୧୦ଟଙ୍କା ପୈଠ କଲେ ଅନ୍‌ଲାଇନ୍‌ରେ। ୫ ମିନିଟ୍ ପରେ ନିଜକୁ ସଂପୃକ୍ତ ହୋଟେଲର କର୍ମଚାରୀ ବୋଲି ପରିଚୟ ଦେଇ ତ୍ରିନାଥଙ୍କୁ ଫୋନ୍ କଲା ଜଣେ ବ୍ୟକ୍ତି। ଆପ୍ ଡାଉନ୍‌ଲୋଡ୍ ସହ ନିର୍ଦ୍ଧିଷ୍ଟ ଏକ ଆଇଡିରେ ଖୋଲିବା ପାଇଁ ବି କହିଥିଲା।

କିଛି ସମୟ ମଧ୍ୟରେ ତ୍ରିନାଥଙ୍କ ମୋବାଇଲ୍‌କୁ ଆସିଲା ୯,୯୯୯ ଟଙ୍କା କଟିବା ପାଇଁ ଏକ ଓଟିପି। ଏତିକି ଦେଖିବା ପରେ ଚାଲାକ୍ ହୋଇଗଲେ ତ୍ରିନାଥ। ଆଉ ନିଜର କ୍ରେଡିଟ୍ କାର୍ଡକୁ ସୌଭାଗ୍ୟବଶତଃ ବ୍ଲକ କରାଇଦେଲେ।

ଦିନେ କି ଅଧେ ନୁହେଁ, ଆଜିକୁ ପ୍ରାୟ ୧୫ ଦିନ ହୋଇଗଲାଣି ଏଭଳି ଅନଲାଇନ୍ ଠକେଇ ଚାଲିଛି।ବିଡ଼ିଏ ଅଫିସ ନିକଟ ଏହି ପ୍ରତିଷ୍ଠିତ ହୋଟେଲ୍ ନାଁରେ ବିଜ୍ଞାପନ ପ୍ରକାଶ କରି ଗତ ୧୨ ତାରିଖରୁ ଠକେଇର ଜାଲ ବିଛାଇଛନ୍ତି ଦୁର୍ବୃତ୍ତ।

ଇତିମଧ୍ୟରେ ପ୍ରାୟ ୫୦ ଗ୍ରାହକ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ବିଜ୍ଞାପନ ଦେଖି ଲୁଟ୍‌ର ଶୀକାର ହୋଇଥିବା କହିଛନ୍ତି ହୋଟେଲ୍ କର୍ତ୍ତୃପକ୍ଷ। ହୋଟେଲ୍ ପକ୍ଷରୁ କୁହାଯାଇଛି ଯେ, ହୋଟେଲ୍‌ର ସେଭଳି କୌଣସି ୱେବସାଇଟ୍ ନାହିଁ କିମ୍ବା କୌଣସି ଅଫର୍ ଦିଆଯାଇନି। ଏହି ଘଟଣା ପରେ ଗତ ୧୬ ତାରିଖରେ ହୋଟେଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିବା କହିଛନ୍ତି।

ଅନ୍‌ଲାଇନ୍‌ରେ ଏଭଳି ଠକାମୀ ନୂଆ ନୁହେଁ। ଭୁବନେଶ୍ୱରର ଜଣେ ମହିଳା ଗ୍ରାହକ ଲୋଭନୀୟ ଅଫର୍ ଦେଖି ଅନଲାଇନ୍‌ରେ ବୁକ୍ କରିଥିଲେ ଜ୍ୟାକେଟ୍ ସହ କୁର୍ତ୍ତା। ସାମଗ୍ରୀ ପହଞ୍ଚିବା ପରେ ୮୯୯ ଟଙ୍କା ପୈଠ କରି ପ୍ୟାକେଟ୍ ଗ୍ରହଣ କଲେ କିନ୍ତୁ ପ୍ୟାକେଟ୍‌ରେ ଥିଲା ବ୍ୟବହୃତ ପୋଷାକ। ଏବେ ସେ ଫେରାଇବାକୁ ଚାହୁଁଥିଲେ ବି ସମ୍ଭବ ହେଉନଥିବା ଅଭିଯୋଗ କରିଛନ୍ତି।

ତେଣୁ ଏଭଳି ଠକାମୀରୁ ବର୍ତ୍ତିବାକୁ ହେଲେ କୌଣସି ଅନାମଧେୟ ଅନଲାଇନ୍ ସପିଂ ୱେବସାଇଟ୍ କିମ୍ବା ସୋସିଆଲ୍ ମିଡିଆର ମିଥ୍ୟା ବିଜ୍ଞାପନଠୁ ଦୂରରେ ରୁହନ୍ତୁ। ଅନ୍‌ଲାଇନ୍ କାରବାରବେଳେ କାହାକୁ ମଧ୍ୟ ଓଟିପି ଦିଅନ୍ତୁ ନାହିଁ।

ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ରିପୋର୍ଟ କହୁଛି, ବର୍ଷ ୨୦୧୯ରେ ପୂର୍ବବର୍ଷ ଅପେକ୍ଷା ଓଡ଼ିଶାରେ ୭୬ ପ୍ରତିଶତ ଅଧିକ ବଢିଛି ସାଇବର କ୍ରାଇମ୍ ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

You might also like