ବରିଷ୍ଠଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା
ପୁଣି ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ
ଗଞ୍ଜାମ: ପୁଣି ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଚାଲି ଚାଲି ଯାଉଥିବାବେଳେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ଗଂଜାମ ହିଞ୍ଜିଳିକାଟୁ ବଇଞ୍ଚ ଶ୍ୟାମଳାଇ ନଗରରେ ଘଟିଛି ଏହି ଘଟଣା। ସେହି ଅଂଚଳର ବାସନ୍ତୀ ସାହୁ ଚାଲି ଚାଲି ଘରକୁ ଫେରୁଥିବାବେଳେ ପଛପଟୁ ବାଇକରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ।
ଲୁଟେରାଙ୍କ ଟାର୍ଗେଟରେ ବୃଦ୍ଧା#Loot #Odisha @odisha_police @sp_ganjam pic.twitter.com/bqwEbV2Fr9
— ଓଟିଭି (@otvkhabar) December 27, 2020
ଜଣେ ଗାଡି ଷ୍ଟାର୍ଟ ରଖିଥିବାବେଳେ ଆଉ ଜଣେ ଚାଲି ଚାଲି ଆସି ବାସନ୍ତୀଙ୍କ ବେକରୁ ସୁନା ଚେନ୍ ଲୁଟି ନେଇ ପଳାଇଥିଲେ। ଘରଠୁ ମାତ୍ର ୩୦ ମିଟର ଦୂରରେ ଏହି ଘଟଣା ଘଟିଥିବା ବେଳେ ଏସମସ୍ତ ଦୃଶ୍ୟ ସେଠାରେ ଜଣଙ୍କ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ସିସିଟିଭିର ମଧ୍ୟ ଯାଞ୍ଚ କରୁଛି।
ସେପଟେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସହର ସ୍ଥିତ ଏକ ମୋବାଇଲ ଦୋକାନରୁ ବି ସଟର ତାଡି ଲୁଟ୍ ହୋଇଛି। ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି ହୋଇଥିବା ନେଇ ସୂଚନା ରହିଛି। ଦୋକାନରୁ ପ୍ରାୟ ୩୦ଟି ଦାମୀ ମୋବାଇଲ୍ ଫୋନ୍ ସହ କିଛି ସ୍ପିକର୍ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ। ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏହି ଚୋରି ହୋଇଥିବାବେଳେ ଚୋରିର ସମସ୍ତ ଭିଡିଓ ଦୋକାନ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ କ୍ରମାଗତ ଭାବରେ ଚୋରି ଓ ଲୁଟ୍ ମାମଲା ରାଜ୍ୟରେ ବଢିବାରେ ଲାଗିଛି।
ଏପଟେ, ଆଜିଠୁ ଆରମ୍ଭ ହେଉଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ। ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଏବଂ ଡିଆଇଜି ଉପସ୍ଥିତ ରହିବେ। ଏହାସହ ଭିଜିଲାନ୍ସ, ଜେଲ୍ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ସମ୍ମିଳନୀରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସଡ଼କ ନିରାପତ୍ତା, ଡିଜିଟାଲ ଅଫିସ୍ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱର ସହ ଆଲୋଚନା ହେବ।
ଜାତୀୟ ସ୍ତରର ବିଭିନ୍ନ ସମ୍ମିଳନୀରେ ଭାଗ ନେଇଥିବା ବରିଷ୍ଠ ଅଧିକାରୀ ମାନେ ଏଥିରେ ନିଜର ଅଭିଜ୍ଞତା ବାଣ୍ଟିବେ। ପ୍ରତିଷ୍ଠିତ ଲେଖକ କମଳା ଭାସିନ୍, କାନପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଅଭୟ କାରାଣ୍ଡିକର୍ କାର୍ଯ୍ୟକ୍ରମରେ ଯୋଗଦେବେ। ପୋଲିସ୍ ଡିଜି ଆଜି ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମର ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ। ଆସନ୍ତାକାଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍-ସିଡିଏସ୍ ବିପିନ ରାୱତ୍ ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ। ସିଡିଏସଙ୍କ ବକ୍ତବ୍ୟ ମୁଖ୍ୟ କେନ୍ଦ୍ର ବିନ୍ଦୁ ରହିଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏ ଭର୍ଚୁଆଲ ସମ୍ମିଳନୀ ହେବ। ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।
ପୂର୍ବରୁ ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ। ଲୁଟର ଶୀକାର ଛାତ୍ରଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିର ଛାତ୍ର। ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ ଦୁର୍ବୃତ୍ତ। ଏହାପରେ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ ପଛପଟେ ପକାଇଦେଇଥିଲେ।
ତାଙ୍କଠୁ ମୋବାଇଲ ସହ ପର୍ସ ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପୀୟୁଷଙ୍କ ବାପା। ଏହି ଲୁଟରେ ୩ ଜଣ ଯୁବକଙ୍କ ସଂପୃକ୍ତି ଥିବା ପୀୟୁଷଙ୍କ ବାପା କହିଛନ୍ତି। ପୀୟୁଷଙ୍କୁ ମାଡ ମାରିବା ସହିତ ଅଚେତ କରିବା ପାଇଁ ବିଷାକ୍ତ ଔଷଧ ପିଆଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ଢେଙ୍କାନାଳରେ ମଧ୍ୟ ଏଟିଏମ୍ ଭିତରେ ପଇନ୍ତରା ପରେ ଚାଲାକାର ସହ ଏଟିଏମ୍ ସିସିଟିଭି ବନ୍ଦ କରି ଲୁଟ୍। ଏଭଳି କିଛି ଲୁଟ ଘଟଣା ଘଟିଛି ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ। ସ୍ଥାନୀୟ ଅଂଚଳରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ୍ କଟରରେ ଏଟିଏମକୁ କାଟି ଲୁଟ୍ ହୋଇଛି। ଏଟିଏମରୁ ପାଖାପାଖି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ ହୋଇଥିବା ନେଇ ମିଳିଛି ସୂଚନା।
ଏଟିଏମରେ କେହି ନଥିବା ବେଳେ ଲୁଟେରା ଏଟିଏମକୁ ଆସି ପ୍ରଥମେ ସିସିଟିଭିର ତାର କାଟି ଦେଇଥିଲେ। ପରେ ଗ୍ୟାସ୍ କଟରରେ ଏଟିଏମ୍ କାଟି ସେଥିରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗତ ୧୫ ତାରିଖରେ ଏହି ଲୁଟ୍ ମାମଲାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଏଟିଏମ୍ ଲୁଟ୍ ହୋଇଛି। ତେବେ ଏହି ଲୁଟ୍ ଗ୍ୟାଙ୍ଗର ଖିଅ ଓ ଏମାନଙ୍କ ଶୈଳୀକୁ ଦେଖି ପୋଲିସ୍ ଏହା ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ୍।