ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର: ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ମାମଲାରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି  ଆବେଦନକାରୀ ସୁଦର୍ଶନ ଦାସ ଏବଂ ସୁଶାନ୍ତ ପାଢ଼ୀ।

ଗତ ନଭେମ୍ବର ୪ ତାରିଖରେ ଶୁଣାଣି ବେଳେ ଲୋକାୟୁକ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ ତାଙ୍କର ଉତ୍ତର ରଖିଥିଲେ।

ହେମନ୍ତ ଶର୍ମାଙ୍କୁ କାହିଁକି କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ଉତ୍ତର ରଖିଥିଲେ ମୁଖ୍ୟ ଶାସନ ସଚିବ। ହେଲେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ।

ଏପଟେ ଆଜି ଲୋକାୟୁକ୍ତରେ ପୁଣି ହାଜର ହୋଇଥିଲେ ପୂର୍ବତନ କ୍ରୟ କମିଟି ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀ ଷଡ଼ଙ୍ଗୀ। ପୂର୍ବରୁ ମଧ୍ୟ ଏହି ଦୁଇ ଅଧିକାରୀ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଆସନ୍ତା ଡିସେମ୍ବର ୭ରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

You might also like