ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ପଙ୍ଗପାଳ ସମସ୍ୟା ନେଇ ଆଜି ଆଲୋଚନା ହୋଇଛି। ଏହାର ମୁକାବିଲା ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପଙ୍ଗପାଳ ଏବେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶା ଆସିବା ସମ୍ଭାବନା ରହିଛି। ପବନର ଦିଗ ଅନୁସାରେ ଗତିବିଧି ପରିବର୍ତ୍ତନ କରୁଛନ୍ତି। ଏଥିଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ସୀମାବର୍ତ୍ତି ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି।
ଏବେ ସୁଧା ଓଡ଼ିଶାରେ ପଙ୍ଗପାଳ ପହଞ୍ଚି ନାହାନ୍ତି। ଏଥିପାଇଁ ସବୁ ଜିଲ୍ଲାରେ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର କେମିକାଲ ରହିଛି। ବଡ଼ ବଡ଼ କୀଟନାଶକ ସ୍ପ୍ରେ ମେସିନ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି।
କୃଷି, ଜଙ୍ଗଲ,ଉଦ୍ୟାନ କୃଷି ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ମୁକାବିଲା କରାଯିବ। ୧୫ ଲକ୍ଷ ଚାଷୀଙ୍କୁ ସଚେତନ କରାଯିବ। କେନ୍ଦ୍ର ସରକାରଙ୍କ ବୈଷୟିକ ଟିମ୍ ପକ୍ଷରୁ ପଙ୍ଗପାଳ ଅବସ୍ଥିତି ନେଇ ସୂଚନା ମିଳୁଛି। ବିଶେଷକରି ସୁନ୍ଦରଗଡ, ବରଗଡ଼,ମାଲକାନଗିରି ସମେତ ଅନେକ ଜିଲ୍ଲାକୁ ସତର୍କ କରାଯାଇଛି। ଓଡ଼ିଶାରେ ଦେଖାଯାଉଥିବା ଝିଣ୍ଟିକା ପଙ୍ଗପାଳ ନୁହଁନ୍ତି ବୋଲି ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ।