ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଲକଡ଼ାଉନ୍‌ ବଢାଇବାକୁ ପରାମର୍ଶ ଦେଲେ ଡାକ୍ତର

ରାଜ୍ୟରେ ପୁଣି ବଢିବ କି ଲକଡାଉନ୍‌?

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଲାଣି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ତେବେ ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର। WHO ଅନୁଯାୟୀ ପଜିଟିଭ ରେଟ ୫ ପ୍ରତିଶତକୁ ନଆସିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବା ଉଚିତ୍। ଆସନ୍ତା ତିନି ଚାରି ମାସରେ ଯଦି ବୃହତ ଭାବରେ ଟିକାକରଣ କରାଯାଏ, ତେବେ ତୃତୀୟ ଲହରୀ ଆସିବ ନାହିଁ। ଏବଂ ଯଦି ଆସେ ଏହାର ପ୍ରଭାବ ପଡ଼ିବନି ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି। ଆଉ ଦୁଇ ସପ୍ତାହ ଅନ୍ତତଃ ଲକଡାଉନ କରାଯାଉ ତା ପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏଠାରେ ସୂଚନା ଦେଉଛୁ, କି ରାଜ୍ୟରେ ଆଜି ବି ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଗତକାଲି ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୩୧୬୨ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୯୭,୨୭୧ ଥିବାବେଳେ ୬,୪୭,୧୩୩ ଜଣ ସୁସ୍ଥ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧,୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୬୯୦ ଓ ଅନୁଗୁଳରୁ ୫୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେପଟେ,  ଭିଡିଓ କନଫେରେନ୍ସିଂ ଜରଆରେ ହୋଇଛି ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ। ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ କରୋନା ନିୟନ୍ତ୍ରଣରେ ଅଛି, ସଠିକ୍ ପଦକ୍ଷେପ ନିଆଯାଉଛି। କିଛି ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟରେ କରୋନା ଟ୍ରେଣ୍ଡ୍ ତଳକୁ ଖସୁଛି। ବୈଠକରେ ପରବର୍ତ୍ତୀ କରୋନା ଲହରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ନବୀନ। ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ଚିନ୍ତା ବ୍ୟକ୍ତ ସହ ଆଗକୁ ଶିଶୁଙ୍କୁ ସଂକ୍ରମଣ ମୁକ୍ତ ରଖିବା ବଡ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

You might also like