ଲକ୍‌ଡାଉନ୍‌ କଟକଣା କୋହଳ: ଗଡ଼ିବ ୨ ଚକିଆ, ୪ ଚକିଆ ଯାନ

ଭୁବନେଶ୍ୱର: ଲକଡାଉନ ପାଇଁ ରାଜ୍ୟରେ ଗାଡ଼ି ଚଳାଚଳ ନେଇ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଏହି କଟକଣା ପ୍ରତ୍ୟାହାର ହୋଇଛି ବୋଲି ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି ।

ରାଜ୍ୟରେ ସମସ୍ତ ପ୍ରକାର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗୁଥିବା ୨ ଚକିଆ ଯାନ ଓ ୪ ଚକିଆ ଯାନ ଏଣିକି ସ୍ୱଚ୍ଛନ୍ଦରେ ଚଳାଚଳ କରିପାରିବ । ତେବେ ନିରାପଦ ଭାବେ ଡ୍ରାଇଭିଂ କରିବା ସହ ସାମାଜିକ ଦୂରତା ଅବଲମ୍ବନ ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହାସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ କହିଛନ୍ତି ପୋଲିସ କମିଶନର । ତେବେ ଅନ୍ତଃରାଜ୍ୟ ଯାତ୍ରା ନେଇ ପୂର୍ବ ନିର୍ଦ୍ଦେଶାବଳୀ ପୂର୍ବଭଳି ବଳବତ୍ତର ରହିଛି ବୋଲି ସେ ଜଣାଇଛନ୍ତି

ଅନ୍ୟପକ୍ଷେ ଲକ୍ ଡାଉନ୍ ୪.୦ ନେଇ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।  ଏ ନେଇ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏହି ଗାଇଡଲାଇନ ଅନୁସାରେ ପୂର୍ବ ଭଳି ଘରୋଇ, ବିଦେଶୀ ବିମାନ ଚାଲି ପାରିବନାହିଁ । କେବଳ ଏୟାର ଆମ୍ବୁଲାନ୍ସକୁ ଅନୁମତି ମିଳିବ । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ ।

ଅନଲାଇନ ପାଠପଢାକୁ ପ୍ରାଧାନ୍ୟ ଦିଆଯିବ । ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । ତେବେ ହୋମ୍ ଡେଲିଭରି ସର୍ଭିସ ଜାରି ରହିବ।  ସିନେମା ହଲ୍, ସପିଙ୍ଗ ମଲ୍, ଥିଏଟର, ଅଡିଟୋରିୟମ ଖୋଲିବ ନାହିଁ। ରାଜ୍ୟରେ ସ୍ପୋର୍ଟସ କଂପ୍ଲେସଗୁଡିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ ଏଠାକୁ କେବଳ ଖେଳାଳିମାନେ ଯିବେ । ଦର୍ଶକ ଯାଇପାରିବେ ନାହିଁ

ସମସ୍ତ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ଏବଂ ଅନ୍ୟ ସମାବେଶ ଉପରେ କଟକଣା ବଳବତ୍ତର ରହିଛି। ସବୁ ଧର୍ମସ୍ଥଳୀ ବନ୍ଦ ରହିବ । ତେବେ ପରସ୍ପର ସହମତି ଭିତ୍ତିରେ ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳକୁ ଅନୁମତି ଦିଆଯାଇଛି। ରାଜ୍ୟ ଭିତରେ ଟ୍ୟାକ୍ସି, କ୍ୟାବ୍ ଓ ଅନ୍ୟ ଯାନ ଚାଲିପାରିବ ।

ଅନ୍ୟପକ୍ଷରେ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏଣିକି ରେଡ, ଅରେଂଜ, ଗ୍ରୀନ ଜୋନ୍ ଚିହ୍ନଟ କରିବେ । କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି ସମସ୍ତ ପ୍ରକାର କଟକଣା ଜାରି ରହିବ । କ୍ୱାରେଣ୍ଟିନ ସେଣ୍ଟର ଗୁଡ଼ିକରେ ବି କଣ୍ଟେନମେଣ୍ଟ ଜୋନ୍ ଭଳି କଟକଣା ରହିବ ।

କୋଭିଡ଼ ହସ୍ପିଟାଲ, କୋଭିଡ କେୟାର ସେଣ୍ଟରରେ ପୂରା କଟକଣା ରହିବ।  ପୂର୍ବଭଳି ରାତି ୭ରୁ ସକାଳ ୭ ପଯର୍ୟନ୍ତ କର୍ଫ୍ୟୁ ଜାରି ରହିବ। ଜରୁରୀ ସେବାରେ ନିୟୋଜିତ କାର୍ଯ୍ୟକଳାପକୁ ଏଥିରୁ ବାଦ୍ ଦିଆଯାଇଛି।

୬୫ ବର୍ଷରୁ ଅଧିକ ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ବାହାରକୁ ବାହାରିବା ମନା। ଆରୋଗ୍ୟ ସେତୁ ଆପ୍ ବ୍ୟବହାର ଜରୁରୀ ।ସେହିପରି ମାସ୍କ ପିନ୍ଧିବା ଜରୁରୀ କରାଯାଇଥିବା ବେଳେ ବାହାରେ ଛେପ ପକାଇଲେ ଜରିମାନା  ଆଦାୟ ହେବ । ସାମାଜିକ ଦୂରତ୍ୱ ୨ ମିଟର ବଜାୟ ରଖିବା ସମସ୍ତଙ୍କ ପାଇଁ ଜରୁରୀ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏହି ଗାଇଡ୍‌ଲାଇନରେ ଦର୍ଶାଯାଇଛି।

 

You might also like